OYO ରୁମରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ

ଭୁବନେଶ୍ୱର ଓୟୋ ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାରେ ଗିରଫ ୨ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲା ବିଭାଗ । ଜଣେ ହାବିଲଦାର ଓ ଜଣେ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ଅନ୍ୟ ଜଣେ ସବ୍ ଇନ୍ସପେକ୍ଟର ମଧ୍ୟ ସ୍କାନରରେ ରହିଥିବା ସୂଚନା ମିଳିଛି । ଜଣେ ଅତିରିକ୍ତ ଡିସିପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ତେବେ ଜବତ ଟଙ୍କାର ତଦନ୍ତ ପାଇଁ କମିଶନରେଟ ପୋଲିସ ଆୟକର ବିଭାଗକୁ ଚିଠି ଲେଖିଛି । ବ୍ୟବସାୟୀ ଜଣଙ୍କ ଏତେ ଟଙ୍କା କେଉଁ ଉପାୟରେ ଆଣିଥିଲେ । ଟଙ୍କାର ସ୍ରୋତ କଣ ? ଏନେଇ ବ୍ୟବସାୟୀ ଜଣଙ୍କୁ ପଚରାଉଚରା କରୁଛି ଆୟକର ବିଭାଗ । ମଙ୍ଗଳବାର ରାତିରେ ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଓୟୋ ହୋଟେଲରେ ଆଇପିଏଲ୍ ବେଟିଂ ନେଇ କମିଶନରେଟ୍ ପୋଲିସ ରେଡ୍ କରିଥିଲା । ରେଡ୍ ବେଳେ ପୋଲିସକୁ ମିଳିଥିଲା ଅଢେଇ ଲକ୍ଷ ଟଙ୍କାର ୩୧ଟି ବଣ୍ଡଲ୍ । ପଚରାଉଚରା ପରେ ଅଙ୍ଗାଡ଼ିଆ ସ୍କିମ୍ ବାବଦରେ ଜଣାପଡ଼ିଥିଲା । କରଞ୍ଜିଆର ବ୍ୟବସାୟୀ କମଲ୍ ଶାହଙ୍କୁ ଅଙ୍ଗାଡ଼ିଆ ସ୍କିମରେ ଫସାଇଥିଲେ ଦୁର୍ବୃତ୍ତ । ୧ କୋଟି ଟଙ୍କା ଦେଲେ ଦେଢ଼ କୋଟି ଟଙ୍କା ଆକାଉଣ୍ଟରେ କ୍ରେଡିଟ୍ ହେବ ବୋଲି କହିଥିଲେ । ବ୍ୟବସାୟୀ କମଲ୍ ଶାହ ଅଢେଇ ଲକ୍ଷ ଟଙ୍କାର ୪୦ଟି ବଣ୍ଡଲ୍ ଧରି ଭୁବନେଶ୍ୱର ଆସିଥିଲେ । ଅଙ୍ଗାଡ଼ିଆ ସ୍କିମର ମାଷ୍ଟରମାଇଣ୍ଡ ପ୍ରଶାନ୍ତ ପଣ୍ଡା ବ୍ୟବସାୟୀଙ୍କ ଉପରେ ରେଡ୍ କରି ଟଙ୍କା ନେଇଯିବାକୁ ପ୍ଲାନିଂ କରିଥିଲେ । ହେଲେ ରେଡ୍ ବେଳେ ଧରି ଦେଇଥିଲା ପୋଲିସ । ମାମଲାରେ କମିଶନରେଟ୍ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଯେଉଁଥିରେ ଭୁବନେଶ୍ୱର ୟୁପିଡିର ୨ ଜଣ ଓ କଟକ ୟୁପିଡିର ଜଣେ ପୋଲିସ ଥିବା ଡିସିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.