ଆସନ୍ତାକାଲିଠାରୁ ରାଜ୍ୟର ୪ ମହାନଗର ନିଗମରେ ତୃତୀୟ ପର୍ଯ୍ୟାୟ ଟିକାକରଣ

ଆଜିଠାରୁ ଟିକାକରଣ କେନ୍ଦ୍ରରେ ପୁଣିଥରେ ଗହଳି ରହିଥିବା ଦେଖାଯାଇଛି । ଲୋକେ ଟିକା ନେବା ପାଇଁ ପହଞ୍ଚିଛନ୍ତି । ସେପଟେ ଆସନ୍ତାକାଲିଠାରୁ ରାଜ୍ୟର ୪ ମହାନଗର ନିଗମ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ୧୮-୪୪ବର୍ଷର ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯିବ । ରାଜ୍ୟ ସରକାର କିଣିଥିବା ଲକ୍ଷେ ‘କୋଭିସିଲ୍ଡ’କୁ ୪ଟି ମହାନଗର ନିଗମକୁ ଲୋକସଂଖ୍ୟା ଆଧାରରେ ଆବଣ୍ଟନ କରାଯାଇଛି । କଟକ ମହାନଗର ନିଗମକୁ ସର୍ବାଧିକ ୩୨,୮୦୦ ଡୋଜ୍ ଦିଆଯାଇଛି । ରାଉରକେଲା ମହାନଗର ନିଗମକୁ ୨୭,୩୦୦, ସମ୍ବଲପୁର ମହାନଗର ନିଗମକୁ ୨୦,୯୦୦ ଓ ବ୍ରହ୍ମପୁର ମହାନଗର ନିଗମକୁ ୧୯ହଜାର ଡୋଜ୍ ଟିକା ଦିଆଯାଇଛି । ରାଜ୍ୟର ୫ଟି ମହାନଗର ନିଗମରେ ସଂକ୍ରମଣର ସର୍ବାଧିକ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ରହିଥିବା ଦୃଷ୍ଟିରୁ ସହରାଞ୍ଚଳକୁ ପ୍ରାଥମିକତା ଦିଆଯାଇଛି । ରାଜ୍ୟରେ ରବିବାର ଟିକାକରଣକୁ ବନ୍ଦ ରଖାଯାଇଛି। ଟିକାକରଣ କେନ୍ଦ୍ରକୁ ସାନିଟାଇଜ୍ କରିବା ଉଦ୍ଦେଶ୍ୟରେ ଟିକାକରଣ ବନ୍ଦ ରହୁଛି ବୋଲି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି । ଗତକାଲି ବିଏମ୍‌ସିରେ ୧୯ଟି ଅଧିବେଶନରେ ୩୬୮୩ ଲୋକଙ୍କୁ ଟିକା ଦିଆଯାଇଛି । ଏଥିରେ ୧୮-୪୪ବର୍ଗର ୧୦୭୮, ୪୫ବର୍ଷରୁ ଅଧିକ ୧୬୮୯ଜଣଙ୍କୁ ଦ୍ବିତୀୟ ଓ ୮୮୪ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ବିଏମ୍‌ସିରେ ଏ ପର୍ଯ୍ୟନ୍ତ ୧୮-୪୪ବର୍ଗର ୪୩,୭୩୮ଜଣଙ୍କୁ କରୋନା ଟିକା ଦିଆଗଲାଣି। ଅପରପକ୍ଷରେ ରାଜ୍ୟରେ ସମୁଦାୟ ଟିକାକରଣ ୬୧ଲକ୍ଷ ୫୨ହଜାର ୨୧୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.