ସିଧାପ୍ରସାରଣ ହେବ ଚନ୍ଦନ ଯାତ୍ରା

ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ମଙ୍ଗଳବାର ଛତିଶାନିଯୋଗ ଭର୍ଚୁଆଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଗଣମାଧ୍ୟମ ପ୍ରତିନିଧିମାନେ ଚନ୍ଦନ ଚକଡ଼ା ଆଗକୁ ଯାଇପାରିବେ ନାହିଁ। ହେଲେ ଚନ୍ଦନଯାତ୍ରାର ସିଧା ପ୍ରସାରଣର ସୁବିଧା ଉପଲବ୍ଧ ହେବ। ଭକ୍ତମାନେ ଘରେ ରହି ସିଧା ପ୍ରସାରଣ ଦେଖିପାରିବେ। ଆସନ୍ତା ୧୫ ତାରିଖ ଅକ୍ଷୟତୃତୀୟାରେ ଚନ୍ଦନଯାତ୍ରା ସହ ରଥଯାତ୍ରା ପାଇଁ ରଥକାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର ଏସ୍‌ଓପି ଜାରି କରାଯାଇଛି। ଚନ୍ଦନଯାତ୍ରାରେ ୫୦ରୁ ୬୫ ଜଣ ସେବାୟତଙ୍କୁ ନେଇ ନୀତିକାନ୍ତି ସମ୍ପାଦିତ ହେବ। ୨୧ଦିନ ଧରି ଚାଲିବାକୁ ଥିବା ଚନ୍ଦନ ଯାତ୍ରା ଶେଷ ନ ହେବା ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖରେ ୧୪୪ ଧାରା ବଳବତ୍ତର ରହିବ। ଆଜି ସେବାୟତଙ୍କ ଆରଟି-ପିସିଆର୍‌ କୋଭିଡ୍‌ ଟେଷ୍ଟିଂ କରାଯିବ। ସଂକ୍ରମିତ ହୋଇ ନ ଥିବା ସେବାୟତଙ୍କୁ ଚନ୍ଦନଯାତ୍ରାରେ ସେବା ଯୋଗାଇବାର ସୁବିଧା ମିଳିବ। ଉକ୍ତ ସେବାୟତଙ୍କୁ ସ୍ବତନ୍ତ୍ର ପାସ୍‌ ଦିଆଯିବ। ମହାପ୍ରଭୁଙ୍କର ଏହି ବାହାର ଚନ୍ଦନଯାତ୍ରାରେ ଭକ୍ତମାନେ ଉପସ୍ଥିତ ରହିପାରିବେ ନାହିଁ। ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଚନ୍ଦନଯାତ୍ରା ଓ ରଥଯାତ୍ରା ପରିଚାଳନାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ପାଳିଆ ସେବାୟତମାନଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ଉଭୟ ଚନ୍ଦନଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତମାନେ ଏହି ଟେଷ୍ଟିଂ କରାଇବେ।

Leave A Reply

Your email address will not be published.