ଚାରି ଜିଲ୍ଲାରେ ୫୫୦ଟି ବେଡ଼୍‌ ସହ ଅକ୍ସିଜେନ୍‌, ଆଇସିୟୁ, ଭେଣ୍ଟିଲେଟର ତଥା ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଖଣିମନ୍ତ୍ରୀଙ୍କ ନିର୍ଦ୍ଦେଶ

କରୋନାର ଦ୍ୱିତୀୟ ଲହରରେ ଓଡ଼ିଶାବାସୀଙ୍କ ସେବାକୁ ଦୃଷ୍ଟିରେ ରଖି ରାଜ୍ୟରେ ମେଡ଼ିକାଲ ଭିତ୍ତିଭୂମିର ନିର୍ମାଣ ପାଇଁ ଚାରି ଜିଲ୍ଲାରେ ୫୫୦ଟି ବେଡ଼୍‌ ସହ ଅକ୍ସିଜେନ୍‌, ଆଇସିୟୁ, ଭେଣ୍ଟିଲେଟର ତଥା ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୋଇଲା, ଖଣି, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମଏସିଏଲ)କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅନୁରୋଧକୁ ପ୍ରାଥମିକତା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୭ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୫୦ଟି ବେଡ଼୍‌ ସହ ଅକ୍ସିଜେନ୍‌, ଆଇସିୟୁ, ଭେଣ୍ଟିଲେଟର ତଥା ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ପ୍ରହ୍ଲାଦ ଯୋଶୀ ଏହି ପତ୍ରର ଉତ୍ତରରେ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧକୁ ପ୍ରାଥମିକତା ଦେଇ ପଦକ୍ଷେପ ନେବାକୁ ଏମଏସିଏଲକୁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରିଛନ୍ତି । ଏହି ସଂକଟ ସମୟରେ ଓଡିଶାରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ପତ୍ର ଲେଖି ସମ୍ବଲପୁର ଠାରେ ୧୫୦ଟି ଅକ୍ସିଜେନ୍‌ ସଂଯୁକ୍ତ ବେଡ୍‌, ଆଇସିୟୁ ଏବଂ ଭେଂଟିଲେଟର ସୁବିଧା ସହ ଅସ୍ଥାୟୀ ଭାବେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା, ସୁନ୍ଦରଗଡ଼ ଜିଲ୍ଲାର ଏମସିଏଲର ବସୁଦ୍ଧରା ଏବଂ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଂଚଳରେ ଥିବା କୋଭିଡ୍‌ ହସ୍ପିଟାଲରେ ୫୦ଟି ଲେଖାଏଁ ଅକ୍ସିଜେନ୍‌ ସଂଯୁକ୍ତ ବେଡ୍‌ ସହ ଆଇସିୟୁ ଏବଂ ଭେଣ୍ଟିଲେଟର ସୁବିଧା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.