ଏଣିକି ୮୪ ଦିନ ପୂର୍ବରୁ ମିଳିବନି କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ

କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନର ଅନୁପାଳନ ପାଇଁ କୋୱିନ ପୋର୍ଟାଲରେ ୮୪ ଦିନ ପୂର୍ବରୁ ସ୍ଲଟ ବୁକିଂ ହୋଇପାରିବନାହିଁ ବୋଲି କୁହାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖାଯାଇଛି । ଏନେଇ କୋ-ୱିନ୍ ପୋର୍ଟାଲରେ ମଧ୍ୟ ଆବଶ୍ୟକୀୟ ପରିବର୍ତ୍ତନ ହେବ ।ଆଜି ରାତି ପରଠାରୁ ପ୍ରଥମ ଡୋଜ୍ କୋଭିସିଲ୍ଡ ନେବାର ୧୨ ସପ୍ତାହ ହୋଇନଥିଲେ ଆଉ ଅନଲାଇନ୍ କିମ୍ବା ଟିକାକରଣ କେନ୍ଦ୍ରରେ ସ୍ଲଟ୍ ମିଳିବ ନାହିଁ । ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ନେବା ପାଇଁ ଆଗରୁ ସ୍ଲଟ୍ ବୁକ୍ କରିଥିଲେ କୋ-ୱିନ୍ ପୋର୍ଟାଲରେ ତାରିଖ ବଦଳାଇବାକୁ ପଡ଼ିବ । ପୂର୍ବରୁ ଟିକା ନେବା ପାଇଁ ସ୍ଲଟ୍ ବୁକିଂ କରିନଥିବା ବ୍ୟକ୍ତି ୮୪ ଦିନ ପୂର୍ବରୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ନେବା ପାଇଁ ଚାହିଁଲେ ନେଇପାରୁଥିଲେ । ଯାହାଦ୍ୱାରା ଜିଲ୍ଲାସ୍ତରରେ ଦ୍ୱିତୀୟ ଡୋଜ୍ ନେବା ପାଇଁ ଥିବା ଚାହିଦା ବଢୁଥିଲା । ବର୍ତ୍ତମାନ ଟିକାର ଚାହିଦା କମିବା ଦ୍ବାରା ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଟିକା ନେଇ ପାରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.