ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ୟଶ୍

ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ୟଶ୍ ଭୟ ଘାରିବାକୁ ଲାଗିଛି । ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରଶାସନିକ ଅଧିକାରୀମାନଙ୍କୁ ସଜାଗ ରହିବା ଲାଗି ଘନ ଘନ ବୈଠକ ହେଉଛି । ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ (ଆଇଏନ୍‌ସିଓଆଇଏସ୍‌)ର ମଡେଲ ଅନୁଯାୟୀ, ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍‌’ ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ । ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ୟୁରୋପିଆନ୍ ସେଣ୍ଟର ଫର୍ ମିଡିଅମ୍ ରେଞ୍ଜ ୱେଦର ଫୋରକାଷ୍ଟ (ଇସିଏମ୍‌ଡବ୍ଲୁଏଫ୍‌) ମଧ୍ୟ ସାମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ନେଇ ସୂଚନା ଦେଇଛି । ବାତ୍ୟା ୟଶ୍ ବାଲେଶ୍ୱର ଆଖପାଖରେ ସ୍ଥଳଭାଗ ଛୁଇଁପାରେ ବୋଲି ଇସିଏମ୍‌ଡବ୍ଲୁଏଫ୍ ପୂର୍ବାନୁମାନ କରିଛି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ୟଶ୍ ନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟାର ରୂପରେଖ ନେଇ ଅନିଶ୍ଚିତତା ରହିଥିଲେ ମଧ୍ୟ ବଙ୍ଗୋପସାଗର ଜଳପତନର ତାପମାତ୍ରା ଅଧିକ (୩୦-୩୧ ଡିଗ୍ରୀ ସେଲ୍‌ସିଅସ୍‌) ଥିବାରୁ ଏହା ଦ୍ରୁତ ଗତିରେ ଘନିଭୂତ ହେବ । ପାରଦୀପଠାରୁ ଦୀଘା ମଧ୍ୟରେ ବାୟୁମଣ୍ଡଳର ପରିସ୍ଥିତି ସ୍ଥଳଭାଗ ଛୁଇଁବା ପାଇଁ ଅନୁକୂଳ ରହିଛି । ସମ୍ଭାବ୍ୟ ଗତିପଥ ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ବାତ୍ୟାର କେନ୍ଦ୍ରରେ ବାୟୁର ଚାପ ୯୮୦ ମିଲିବାର ପର୍ଯ୍ୟନ୍ତ ପହଞ୍ଚିପାରେ ।

Leave A Reply

Your email address will not be published.