ସ୍ତ୍ରୀକୁ ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ବେଢ଼ଛେଲୁ ଗାଁରେ। ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ପ୍ରଶାନ୍ତ ପଥରରେ ଛେଚି ପତ୍ନୀଙ୍କୁ ହତ୍ୟା କରି ଦେଇଥିଲେ। ତା’ପରେ ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିଲେ। ଘରୋଇ କଳିରୁ ଏମିତି ଏକ ଘଟଣା ଘଟିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଏମିତିକି ପୂର୍ବରୁ ଅନେକ ଥର ସେମାନେ ଘରୋଇ ଝଗଡ଼ାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି। ମୃତ ଦମ୍ପତିଙ୍କର ଜଣେ ୧୮ ବର୍ଷର ପୁଅ ଓ ଜଣେ ୧୩ ବର୍ଷର ଝିଅ ଅଛନ୍ତି।