ଦିଲ୍ଲୀରେ ପୁଣି ବଢିବ କି ଲକଡାଉନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଗଣମାଧ୍ୟମକୁ ସମ୍ବୋଧିତ କରିବେ। କରୋନାର ବିସ୍ତାର ଯାଞ୍ଚ କରି ଲାଗୁ ହୋଇଥିବା ଲକଡାଉନ କଟକଣା କୋହଳ କରିପାରନ୍ତି ବୋଲି କୁହାଯାଉଛି ।  ଏପ୍ରିଲ୍ ୧୯ରୁ ଦିଲ୍ଲୀରେ ଲକଡାଉନ ଜାରି ରହିଛି । ଦ୍ୱିତୀୟ ଲହର ସମୟରେ ଦ୍ରୁତ ଗତିରେ ବ୍ୟାପିଥିବା କରୋନା ବିସ୍ତାରକୁ ରୋକିବା ପାଇଁ ଘୋଷଣା କରାଯାଇଥିଲା। ଗତ କିଛି ଦିନ ମଧ୍ୟରେ, ସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଛି ଓ ଦୈନିକ ମାମଲା ଏକ ହଜାର ତଳକୁ ଖସି ଆସିଛି। ଦ୍ୱିତୀୟ ଲହରର ଶିଖର ସମୟରେ ଏହା ୩୦,୦୦୦ ପାଖାପାଖି ଥିଲା। ଏପ୍ରିଲ୍ ୨୦ରେ ଏହା ୨୮,୩୯୫ ମାମଲା ଏବଂ ୨୨ ଏପ୍ରିଲରେ ପଜିଟିଭି ହାର ୩୬% ରୁ ଅଧିକ ରେକର୍ଡ କରିଛି। ଗତ ସପ୍ତାହରେ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଥିଲେ ଓ ଦିଲ୍ଲୀରେ ଉତ୍ପାଦନ ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଇଥିଲେ। ଏହି ସପ୍ତାହ, ଜୁନ୍ ୭ରୁ ବଜାର ଓ ଅନ୍ୟାନ୍ୟ କାର‌୍ୟ୍ୟକଳାପକୁ ଅନୁମତି ଦେବ ବୋଲି ଆଶା କରାଯାଉଛି । କେଜ୍ରିୱାଲ ଏକ ଭିଡିଓ ପ୍ରେସ୍‌ରେ କହିଛନ୍ତି, “ଅନଲକ୍ ପ୍ରକ୍ରିୟାରେ ପ୍ରାଥମିକତା ଅର୍ଥନୈତିକ ବିଭାଗକୁ ଦିଆଯିବ । ତେଣୁ ଆମେ ଶ୍ରମିକ, ବିଶେଷକରି ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରିବୁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ମାଣ କ୍ଷେତ୍ର କିମ୍ବା କାରଖାନାରେ ନିୟୋଜିତ ଅଛନ୍ତି।” ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ହସ୍ପିଟାଲ ବେଡ, ଆଇସିୟୁ ବେଡ ଓ ଅମ୍ଳଜାନର ଅଭାବ ନାହିଁ। ତେଣୁ ଆମକୁ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବାକୁ ପଡିବ। ଆମକୁ ନିଶ୍ଚିତ କରିବାକୁ ହେବ ଯେ ଲୋକମାନେ ସୁରକ୍ଷିତ ରୁହନ୍ତୁ । କରୋନା ପାଇଁ ଦାରିଦ୍ର‌୍ୟ ନଆସୁ । ତେବେ ସାମ୍ପ୍ରତିକ ପ୍ରତିବନ୍ଧକଗୁଡିକ ଜୁନ୍ ୭ ସକାଳ ୫ ଟାରେ ଯାଏଁ ବଳବତ୍ତର ରହିଛି ।

Leave A Reply

Your email address will not be published.