ନଫ୍‌ତାଲୀ ବେନେଟ ହେଲେ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମାଚାର ବ୍ୟୁରୋ : ନଫ୍‌ତାଲୀ ବେନେଟ ରବିବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥି ସହିତ ୧୨ ବର୍ଷରୁ ପ୍ରଧାନମନ୍ତ୍ରୀ ପଦ ଉପରେ ଆଧିପତ୍ୟ ରଖିଥିବା ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି । ସଂସଦରେ ବହୁମତ ହାସଲ କରିବା ପରେ ଦକ୍ଷିଣପଂଥୀ ଯାମିନା ପାର୍ଟିର ୪୯ ବର୍ଷୀୟ ନେତା ଓ ପୂବତନ କମାଣ୍ଡର ବେନେଟ ରବିବାର ଶପଥ ଗ୍ରହଣ କରିଛନ୍ତି ।  ନଫ୍‌ତାଲୀ ୨୦୧୫ରେ ନିଜର ଟେକ୍ ଷ୍ଟାର୍ଟଅପ୍ ୧୪.୫ କୋଟି ଡଲାରରେ ବିକ୍ରି କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଇସ୍ରାଏଲର ୧୨୦ ସଂସଦୀୟ ସଂସଦ ‘ନେସେଟ’ରେ ୬୦ ସଦସ୍ୟ ପକ୍ଷ ଓ ୫୯ ସଦସ୍ୟ ବିରୋଧରେ ମତଦାନ କରିଥିଲା । ଏହି ସମୟରେ ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ ।  ନୂଆ ସରକାରରେ ୨୭ ଜଣ ମନ୍ତ୍ରୀ ଅଛନ୍ତି । ଏଥିରେ ୯ ଜଣ ମହିଳା ସାମିଲ ରହିଛନ୍ତି । ନୂଆ ସରକାର ଲାଗି ଭିନ୍ନ ଭିନ୍ନ ବିଚାରଧାରାର ଦଳ ମେଣ୍ଟ କରିଥିଲେ । ଏଥିରେ ଦକ୍ଷିଣପଂଥୀ, ବାମ, ମଧ୍ୟମାର୍ଗୀ ସହିତ ଆରବ ସମୁଦାୟର ପ୍ରତିନିଧିତ୍ୱ କରିଥିବା ପାର୍ଟି ମଧ୍ୟ ଥିଲେ । ୟେଶ ଏତିଦ ପାର୍ଟିର ମିକୀ ଲେଭିଙ୍କୁ ସଂସଦରେ ବାଚସ୍ପତି କରାଯାଇଛି । ତାଙ୍କ ପକ୍ଷରେ ୬୭ ସଦସ୍ୟ ମତଦାନ କରିଥିଲେ । 

Leave A Reply

Your email address will not be published.