ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ କରିବେ ୟୁଟ୍ୟୁବ କ୍ଲାସ

ପ୍ରଥମେ କଲେଜ ପରେ ହାଇସ୍କୁଲ ଓ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍‌ରେ ପାଠ ପଢାଇବା ଲାଗି ନିଷ୍ପତ୍ତି ନିଆଯାଇଛି । ଜୁନ୍‌ ୨୧ରୁ ଜୁଲାଇ ୭ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁଟ୍ୟୁବ୍‌ରେ ପାଠପଢ଼ା ହେବ। ପ୍ରଥମ ପର୍ଯ୍ୟାୟ ୟୁଟ୍ୟୁବ୍‌ କ୍ଲାସ ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼ରେ ହେବ ବୋଲି ଜଣାପଡିଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୩୦ ମିନିଟ୍‌ର ୩ଟି ଲେଖାଏଁ ପିରିୟଡ୍‌ ଅନୁଷ୍ଠିତ ହେବ । ପୂର୍ବାହ୍ନ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଏହି କ୍ଲାସ ଚାଲିବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଅଧ୍ୟକ୍ଷ ଭୂପିନ୍ଦ୍ର ପୁନିଆ ଏହି ନିଷ୍ପତ୍ତି ନେଇଛନ୍ତି । ଏଥିସହ କ୍ଲାସଗୁଡ଼ିକ ଯେପରି ନିୟମିତ ଭାବେ ହୋଇପାରିବ ସେଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଅବଗତ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୯ଟାରୁ ୧୦ଟା ପର୍ଯ୍ୟନ୍ତ ଓ ୪ର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ଶନିବାର ଓ ରବିବାର କୌଣସି କ୍ଲାସ ହେବନି। ୟୁଟ୍ୟୁବ ପାଠପଢ଼ା ଲାଗି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ କ୍ଲାସରୁମ୍‌ ପ୍ରସ୍ତୁତ କରିବେ। ଏହି ପାଠପଢ଼ା ତଦାରଖ ଲାଗି ଡିଇଓମାନେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିବେ, ଯେଉଁଥିରେ ବରିଷ୍ଠ ବିଷୟ ବିଶେଷଜ୍ଞ ମୁଖ୍ୟ ରହିବେ। ଏହି ଟିମ୍‌ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ଗାଇଡ୍‌ କରିବା ସହ ଲାଇଭ୍‌ କ୍ଲାସ ପୂର୍ବରୁ କଣ୍ଟେଣ୍ଟ ଦେଖିବେ, ଠିକ୍‌ ଭାବେ କିଭଳି କ୍ଲାସ ହୋଇପାରିବ ସେ ବିଷୟରେ ଅନୁଧ୍ୟାନ କରିବେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଏହା ଦାୟିତ୍ବରେ ରହିବେ। ଲାଇଭ୍‌ କ୍ଲାସ ସମୟରେ ଯେପରି କୌଣସି ପ୍ରକାର ବିଭ୍ରାଟ ନ ହୁଏ ଶିକ୍ଷକମାନେ ସେଥିପ୍ରତି ଗୁରୁତ୍ବ ଦେବେ। ବିଶେଷଜ୍ଞ ଟିମ୍‌ ପ୍ରତି ୟୁଟ୍ୟୁବ୍‌ କ୍ଲାସର ସମୀକ୍ଷା କରି ପରାମର୍ଶ ଦେଇପାରିବେ।

Leave A Reply

Your email address will not be published.