ଭୁବନେଶ୍ବର : କରୋନାର ତୃତୀୟ ଲହର ପାଇଁ ବିଭିନ୍ନ ରାଜ୍ୟର ସରକାର ତତ୍ପର ହେଉଥିବାବେଳେ ଓଡିଶା ସରକାର ମଧ୍ୟ ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛନ୍ତି ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି । ଡିଏମଇଟି କହିଛନ୍ତି ଯେ, ତୃତୀୟ ଲହର ପାଇଁ ପୂରା ପ୍ରସ୍ତୁତ ଅଛି ଓଡ଼ିଶା । ବର୍ତ୍ତମାନ ସମୟରେ ତୃତୀୟ ଲହର ଏକ ଆକଳନ ମାତ୍ର । ତା ଅର୍ଥ ଓଡ଼ିଶାକୁ ଆସିବନି ବୋଲି କୁହାଯାଇପାରିବନି । ତୃତୀୟ ଲହର ରୋକିବାକୁ ରାଜ୍ୟ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । କୋଭିଡ ନିୟମ ମାନିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି । ସଂକ୍ରମଣ ରୋକିବାକୁ ଟିକାକରଣକୁ ଜୋରଦାର କରାଯାଇଛି । ଅଧିକ ଲୋକ ସଂକ୍ରମଣ ଆଶଙ୍କାରେ ଭିତ୍ତିଭୂମି ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବଢ଼ିବା ନେଇ ଡିଏମଇଟି କହିଛନ୍ତି ଯେ, କୌଣସି ଜିନିଷ ନିର୍ଦ୍ଦିଷ୍ଟ ନୁହେଁ । ସବୁ ରୋଗରେ ଏଭଳି ଟ୍ରେଣ୍ଡ ଦେଖାଯାଏ । ସଂକ୍ରମଣ ଏମିତି କମ୍ ବେଶି ହୋଇଥାଏ । ତଥାପି ଆମେ କହିପାରିବା, ଦିନକୁ ଦିନ ସଂକ୍ରମଣ ତଳକୁ ଖସୁଛି । ଡେଲ୍ଟା ଭାରିଏଣ୍ଟ ଦେଶରେ ବହୁତ କମ ଦେଖିବାକୁ ମିଳିଛି । ସାଧାରଣତଃ ଶିଶୁମାନେ ପ୍ରାୟତଃ କମ ସଂକ୍ରମିତ ହୋଇଥାନ୍ତି । ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ।