ବାଇକ୍‌କୁ ଧକ୍କା ଦେଲା ‘ଆମ ବସ୍’: ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ, ବାପା-ମାଆ ଗୁରୁତର

ଖୋର୍ଦ୍ଧା: ପୁଣି ଜୀବନ ନେଲା ‘ଆମ ବସ୍’ । ୫୭ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ନିକଟସ୍ଥ ବରଶାହି ଛକ ଠାରେ ଏକ ବାଇକକୁ ଧକ୍କା ଦେଇଛି ‘ଆମ ବସ୍ ’।  ଏହି ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବାବେଳେ ବାପା ମାଆ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ଗତକାଲି ବରଶାହିର ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ଶିଶୁ ପୁତ୍ରକୁ ଧରି କେରଙ୍ଗ ଯାଉଥିବାବେଳେ ‘ଆମ ବସ୍’ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଗୁରୁତର ଭାବରେ ବାଇକ୍ ଆରୋହୀ ଏବଂ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଜିତିକାଲୋସୁଆଁଲୋ ଠାରେ ‘ଆମ ବସ୍’ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛଥିଲା ।  ମୃତକ ଜଣକ ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡିଛି । ୨ ଜଣ ବ୍ୟକ୍ତି ଏକ ବାଇକ୍‌ରେ ହଂସପାଳ-ଅଭୟମୁଖି ରାସ୍ତାରେ ଯାଉଥିଲେ । ଏହି ସମୟରେ ଜୟଦେବ ପୀଠରୁ ‘ଆମ ବସ୍’ ଭୁବନେଶ୍ଵର ଅଭିମୁଖେ ଯାଉଥିଲା ।  ବାଲିଅନ୍ତା ଥାନା ଜିତିକାଲସୁଆଁଲୋ ଠାରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା ।  ଅନ୍ୟ ଜଣେ ଗୁରୁତର ହୋଇଥିଲେ ।  ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲାଲା । ‘ଆମ ବସ୍’କୁ ପୋଲିସ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଥିଲା ।

Leave A Reply

Your email address will not be published.