୨୧ରୁ ପୁଣି ରାଜ୍ୟରେ ବଢ଼ିବ ବର୍ଷା

ଓଡ଼ିଶା ସମାଚାର : ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇଛି । ବାଲେଶ୍ବର ଜିଲ୍ଲା ନୀଳଗିରିରେ ରାଜ୍ୟର ସର୍ବାଧିକ ବର୍ଷା ୬୭.୦ମିମି ରେକର୍ଡ ହୋଇଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଛି । ତେବେ ଆସନ୍ତା ୨ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ୨୧ ତାରିଖରୁ ପୁଣି ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗତକାଲି ପଶ୍ଚିମବଙ୍ଗ ଉପରେ ରହିଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଏବେ ଦକ୍ଷିଣ-ପଶ୍ଚିମ ବିହାର ଓ ସଂଲଗ୍ନ ଅଞ୍ଚଳରେ ରହିଛି । ଆଉ ଏକ ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି । ଓଡ଼ିଶା ଉପରେ ରହିଥିବା ସିଜିନାଲ୍‌ ଟ୍ରପ୍‌-ଲାଇନ୍‌ ଏବେ ଲଘୁଚାପ କ୍ଷେତ୍ର ଦେଇ ଗତି କରୁଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ମଧ୍ୟ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି କେନ୍ଦ୍ର କହିଛି ।

Leave A Reply

Your email address will not be published.