ବିବାହ ପୂର୍ବରୁ କରୋନାରେ ଆଖିବୁଜିଲେ ବର

ଓଡ଼ିଶା ସମାଚାର : ଜନ୍ମ ଦିନ ପୂର୍ବରୁ ଚାଲିଗଲା ଜୀବନ । ମଙ୍ଗନ୍ନ ପୂର୍ବରୁ ମଶାଣୀ ଯାତ୍ରା… ଜନ୍ମଦିନକୁ ଆଉ ଗୋଟିଏ ଦିନ ଥିଲା, ବାହାଘରକୁ ଆଉ ମାତ୍ର ୪ ଦିନ ବାକି ଥିଲା । ଏକାଥରେ ଦୁଇ ଦୁଇଟି ଘଟଣା ଘରେ ଖୁସିର ମାହୋଲ ତିଆରି କରିଥିଲା । ରାତି ପାହିଥିଲେ ବାର୍ଥ ଡେ ସେଲିବ୍ରେସନ ଆଉ ତାପରେ ବାହାଘର… ପାଖାପାଖି ଦୁଇଟି ଖୁସି ପାଇଁ ବେଶ ଖୁସି ଥିଲେ ଚନ୍ଦ୍ରମଣୀ, ଖୁସି ଥିଲେ ପରିବାର ଲୋକେ । ହେଲେ ସେ ଖୁସିରେ ଲାଗିଲା କରୋନାର କଳଙ୍କ । ସୁଖ ଛଡାଇନେଲା ସଂକ୍ରମଣ । ଆଉ ବାହାଘରର ଚାରି ଦିନ ପୂର୍ବରୁ ପରପାରିକୁ ଚାଲିଗଲେ ଚନ୍ଦ୍ରମଣୀ । ପହିଲି ରଜରେ ହିଁ କରୋନାରେ ଆଖିବୁଜିଲା । ଆଉ ଅଧାରେ ରହିଗଲା ବର ହେବାର ଇଚ୍ଛା… ନୂଆ ସମ୍ପର୍କ ଗଢିବାର ସ୍ୱପ୍ନ… କାନ୍ଥରେ ଅଙ୍କା ସରିଥିଲା ଝୋଟି ଚିତା, ଶୁଭ ପରିଣୟ ପାଇଁ କରାଯାଇଥିଲା ଯୋଡି ମହୁରୀ… ନିମନ୍ତ୍ରଣ ପାଇଁ ଗୁଆ ମଙ୍ଗୁଳା ସରିଥିଲା, ମଙ୍ଗନ୍ନ ପାଇଁ ସଜା ସରିଥିଲା ମଙ୍ଗନହାଣ୍ଡି, ବଣ୍ଟା ବି ସରିଥିବା ନିମନ୍ତ୍ରଣ ପତ୍ର । ହେଲେ ନିୟତିର ନିଷ୍ଠୁରତା ଆଗରେ ଏ ସବୁ ଅନାବଶ୍ୟକ ପଡିଲା । ବର ଶବ ପାଲଟିଗଲା, ସବାରୀରେ ଯିବା ବଦଳରେ କୋକେଇରେ ଉଠିଲା । ଆଉ ବିବାହ ଚାରି ଦିନ ଆଗରୁ ଚିର ବିଦାୟ ନେଲେ ଚନ୍ଦ୍ରମଣୀ । ଭଦ୍ରକ ଅସୁରାଳୀ ନାଥ ସାହିରୁ ଆସିଥିବା ଏ ହୃଦୟବିଦାରକ ଘଟଣା ଯିଏ ଶୁଣୁଛି ସିଏ ଘଡିଏ ଥମ ମାରି ବସୁଛି । କାରଣ ଏଠି କରୋନା ଖୁସି ଉପରେ କଳାଦାଗ ଲଗେଇଛି । ତେବେ ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷର ପୁଅ ଚନ୍ଦ୍ରମଣିଙ୍କର ଗତ ୧୧ ତାରିଖରେ ବାହାଘର ସ୍ଥିର ହୋଇଥିଲା । କିନ୍ତୁ ହଠାତ ତାଙ୍କୁ ଜର ହେବାରୁ  କରୋନା ଟେଷ୍ଟ କରାଯିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ବାହାଘରକୁ  ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ସେପଟେ ପୁଅ ଟିକେ ସୁସ୍ଥ ହେବା ପରେ ବାହାଘର ହେବ ବୋଲି ଘର ଲୋକେ ନିଷ୍ପତି ନେଇଥିଲେ । ଆଉ ସେହି ସମୟ ଭିତରେ ବାହାଘର ପାଇଁ ଲୁଗାପଟା କିଣା ସରିଥିଲା, ରୋଷିଆକୁ ବରାଦ ଦିଆ ସରିଥିଲା, ଟେଣ୍ଡ, ବରଗାଡି ପାଇଁ ବି ଆଡଭାନ୍ସ ଦିଆସରିଥିଲା । ହେଲେ ହଠାତ୍ ଚନ୍ଦ୍ରମଣି ନିଶ୍ୱାସ ନେବାର କଷ୍ଟ ଅନୁଭବ କଲେ । ଅକ୍ସିଜେନ ଲେବୁଲ କମିଯିବାରୁ ପରିବାର ଲୋକେ ମେଡିକାଲ ନେବାକୁ ପ୍ରସ୍ତୁତ ହେଉଥିବା । କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା । ନିଷ୍ଠୁର ବିଧାତା ନିଶ୍ୱାସ ନେଇଗଲା । ଆଉ ବାହାହେବାକୁ ଥିବା ଚନ୍ଦ୍ରମଣୀଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.