ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ

ଓଡ଼ିଶା ସମାଚାର : ବରିଷ୍ଠ ଆଇପିଏସ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । କୋଲକାତାର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଡକ୍ଟର ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ମେ ୨୯ ତାରିଖରେ କଟକର ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରୁ ‌ଏକମୋ ସହାୟତାରେ ଚିକିତ୍ସା ପାଇଁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ଡକ୍ଟର ପାଣିଗ୍ରାହୀଙ୍କର ପତ୍ନୀ ଅଧ୍ୟାପିକା ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଝୁମକି ରଥ, ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ୧୯୬୫, ଅଗଷ୍ଟ ୨୯ ତାରିଖରେ ବାଲେଶ୍ବରରେ ଜନ୍ମିତ ଦେବାଶିଷ ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର କରିବା ସହିତ ଦିଲ୍ଲୀର ଜେଏନୟୁରେ ଏମଫିଲ୍ ଓ ପିଏଚ୍‌ଡି କରିଥିଲେ। ୧୯୯୧ରେ ସେ ଭାରତୀୟ ପୁଲିସ ସେବା (ଆଇପିଏସ୍)ରେ ଯୋଗ ଦେଇଥିଲେ। ପୁଲିସ ସେବାରେ ଯୋଗଦେଇ ସେ କଟକ, ଭୁବନେଶ୍ବର, ପୁରୀ, ଗଂଜାମ, କେନ୍ଦୁଝର ଭଳି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ ଏସ୍‌ପି ଭାବେ କାର୍ଯ୍ୟ କରିବା ସହିତ ପୁଲିସ ବିଭାଗର ଡିଆଇଜି (ପ୍ରଶାସନ), ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ଆଇଜି (ମଡର୍ଣ୍ଣାଇଜେସନ୍), ଆଇଜି (ପର୍ସନେଲ୍), ଏଡିଜି (ପର୍ସନେଲ୍) ଭାବେ କାର୍ଯ୍ୟ କରି ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ପୁଲିସ ବିଭାଗରେ ଉତ୍ତମ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ପୁଲିସ ମେଡାଲ୍ ପାଇ ଆସିଥିଲେ। କଟକ, ଭୁବନେଶ୍ବର ଓ ପୁରୀ ଭଳି ୩ଟି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାର ଏସପି ଭାବେ ସଫଳତାର ସହ କାର୍ଯ୍ୟ କରିବାର ରେକର୍ଡ ଏଯାଏ କେବଳ ଦେବାଶିଷଙ୍କ ନାମରେ ରହିଛି।

Leave A Reply

Your email address will not be published.