ବିବାହ ତଥ୍ୟ ଲୁଚାଇ ନୁସରତ ଭୋଟରଙ୍କ ସହ ପ୍ରତାରଣା କରିଛନ୍ତି, ସଦସ୍ୟତା ପଦ ବାତିଲ ପାଇଁ ବାଚସ୍ପତିଙ୍କୁ ଚିଠି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ବାସୀରହାଟ ଆସନରୁ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନଙ୍କ ବିବାହ ପ୍ରସଙ୍ଗ ଏବେ ଲୋକସଭାରେ ପହଞ୍ଚିଛି। ବିଜେପି ସାଂସଦ ସଂଘମିତ୍ରା ମୌର‌୍ୟ୍ୟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ନୁସରତ ଜାହାନଙ୍କ ଲୋକସଭା ସଦସ୍ୟତା ବାତିଲ କରିବାକୁ ଦାବି କରିଛନ୍ତି। ବିଜେପି ସାଂସଦ ସଂଘମିତ୍ରା ନୁସରତ ଜାହାନଙ୍କୁ ଅନୁପଯୁକ୍ତ ତଥ୍ୟ ଦାଖଲ କରିବା ଅଭିଯୋଗ କରିଛନ୍ତି। ସଂଘମିତ୍ରା ଚିଠିରେ କହିଛନ୍ତି ଯେ ଲୋକସଭା ସଦସ୍ୟ ଭାବରେ ଶପଥ ଗ୍ରହଣ ସମୟରେ ନୁସରତ ଜାହାନ ତାଙ୍କ ନାମ ‘ନୁସରତ ଜାହାନ ରୁହି ଜୈନ’ ବୋଲି କହିଥିଲେ। ଲୋକସଭା ୱେବସାଇଟରେ ମଧ୍ୟ ନୁସରତ ଜାହାନଙ୍କ ସ୍ୱାମୀଙ୍କ ନିଖିଲ ଜୈନଙ୍କ ନାମ ଲେଖାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ବିବାହ ଭୋଜିରେ ଯୋଗ ଦେଇଥିଲେ। ନୁସରତଙ୍କ ବ୍ୟକ୍ତିଗତ ଜୀବନରେ କେହି ହସ୍ତକ୍ଷେପ କରିବା ଉଚିତ୍ ନୁହେଁ, କିନ୍ତୁ ତାଙ୍କର ବର୍ତ୍ତମାନର ବିବୃତ୍ତିର ଅର୍ଥ ହେଉଛି ଯେ ସେ ଜାଣିଶୁଣି ସଂସଦକୁ ଭୁଲ ତଥ୍ୟ ଦେଇଛନ୍ତି। ସେ ଭୋଟରଙ୍କୁ ପ୍ରତାରଣା କରିଥିଲେ। ସଂଘମିତ୍ରା ଅଭିଯୋଗ କରିଛନ୍ତି ଯେ ନୁସରତ ଜାହାନ ଭୋଟରଙ୍କ ସହ ପ୍ରତାରଣା କରିଛନ୍ତି। ଏହା ସଂସଦର ସମ୍ମାନକୁ କ୍ଷୁର୍ଣ୍ଣ କରିଛି। ବିଜେପି ସାଂସଦ ଏହି ପ୍ରସଙ୍ଗକୁ ସଂସଦର ନୈତିକ କମିଟି ନିକଟକୁ ପଠାଇ ନୁସରତଙ୍କ ବିରୋଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave A Reply

Your email address will not be published.