କିପରି ଅଛନ୍ତି ଓଡ଼ିଶାର ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ?

ଭୁବନେଶ୍ୱର : ଏବେ ସମଗ୍ର ଦେଶରେ ଡେଲଟା ପ୍ଲସ୍ ଆକ୍ରାନ୍ତଙ୍କୁ ନେଇ ଭୟ ବଢ଼ିବାରେ ଲାଗିଛି। ସମଗ୍ର ଦେଶରେ ଏଯାଏ ଏପରି ୪୮ଟି ମାମଲା ସାମନାକୁ ଆସିଥିବା ବେଳେ ସେଥିରୁ ଗୋଟିଏ ଓଡ଼ିଶାର ବୋଲି ସ୍ପଷ୍ଟ ହୋଇଛି। ଓଡ଼ିଶାର ଦେବଗଡ଼ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି  ଏହି ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ରାଜ୍ୟବାସୀ ଏକ ପ୍ରକାର ଛାନିଆ ହୋଇଯାଇଛନ୍ତି। ହେଲେ ଏଥିଯୋଗୁ ଛାନିଆ ହେବାର ଆବଶ୍ୟକତା ନାହିଁ ବରଂ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଡେଲଟା ପ୍ଲସ୍‌ ଭାରିଆଣ୍ଟରେ ଆକ୍ରାନ୍ତ ପ୍ରଥମ ଓଡ଼ିଆଙ୍କ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ମାର୍ଚ୍ଚ ୩୦ରେ ଟୀକା ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଜଣେ କୋରନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲରେ ସାମ୍ପଲ ଦେଇଥିବା ବେଳେ ଲକ୍ଷଣହୀନ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ୬ ସପ୍ତାହ ସର୍ଭେଲାନ୍ସ ପିରିୟଡରେ ରଖାଯାଇଥିଲା। ମେ ମାସରେ ତାଙ୍କ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନସିଙ୍ଗ ପାଇଁ ପଠାଯାଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ  ଅଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏପିଡୋମିଲୋଜି ଟିମ୍‌ ଦେବଗଡ଼ ଗସ୍ତ କରିଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ରହିଛି, ସେ କାହା ସାଙ୍ଗରେ ମିଶିଥିଲେ, ସେ ଯାହା ସାଙ୍ଗରେ ମିଶିଥିଲେ ସେମାନେ ସଂକ୍ରମିତ ହେଇଛନ୍ତି କି ନାହିଁ, ସେମାନଙ୍କର ସ୍ୱାସ୍ଥ୍ୟ ଅଵସ୍ଥା କେମିତି ରହିଛି, ସମସ୍ତେ ଟୀକା ନେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ । ଡେଲଟା ପ୍ଲସ୍‌ ଭାରିଆଣ୍ଟରେ ଆକ୍ରାନ୍ତ ବ୍ୟକ୍ତିଜଣକ ଟୀକା ନେଇଥିବାରୁ ତାଙ୍କର କିଛି ଲକ୍ଷଣ ଦେଖା ଯାଉନଥିଲା । ତେଣୁ ଟୀକାର ପ୍ରଭାବ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟର କୋରନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ କହିଛନ୍ତି, ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ ଏହାକୁ କାବୁ କରିବାକୁ ସ୍ଵତନ୍ତ୍ର ଷ୍ଟ୍ରାଟେଜି ଆପଣାଯାଉଛି । ସର୍ଭେଲାନ୍ସଠୁ ନେଇ ଟୀକାକରଣ ଯାଏ ସବୁକିଛିକୁ ତ୍ୱରାନ୍ୱିତ କରାଯାଉଛି ।

Leave A Reply

Your email address will not be published.