ବିଜେଡି କନ୍ଦଳ

ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଧିମେଇ ଯାଇଥିବା ଦଳୀୟ ସଂଗଠନକୁ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପୁଣିଥରେ ସକ୍ରିୟ କରିବାକୁ ବିଜେଡି ପଦକ୍ଷେପ ନେଇଛି। ଦଳ ପକ୍ଷରୁ ଆଜି ୨୬ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଓ ୬ଜଣଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୩୦ଟି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ସଞ୍ଜୟ ଦାସବର୍ମାଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି। ସଂଗଠନ ସହ ଜଡ଼ିତ ବହୁ ପୁରୁଖା ନେତାଙ୍କୁ ବାଦ୍ ଦେଇ ୧୨ଜଣ ମନ୍ତ୍ରୀ ଓ ୨ଜଣ ସାଂସଦଙ୍କୁ ଏହି ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରି ଦଳ, ହାତଗଣତି ନେତାମାନଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟ ଚାଲିବ ବୋଲି ସନ୍ଦେଶ ଦେଇଛି । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏହି ପର୍ଯ୍ୟବେକ୍ଷକ ତାଲିକା ପ୍ରସ୍ତୁତିରେ ନିଜର ପତିଆରା ପ୍ରଦର୍ଶନ କରିଛନ୍ତି। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଣବଙ୍କ ତାଲିକାକୁ ମଧ୍ୟ ଦଳ ଅଗ୍ରାଧିକାର ଦେଇଛି। ଏକ କୋଟି ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡିରେ ଏବେ ଏକଚାଟିଆ ନିଷ୍ପତ୍ତି ପ୍ରଭାବୀ ହେଉଛି। ନିଜର ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ହତାଦର କରି କିଛି ଅନଭିଜ୍ଞ ନେତାଙ୍କୁ ମଧ୍ୟ ଜିଲ୍ଲା ସଂଗଠନ ଦାୟିତ୍ୱ ଦେବାକୁ ଦଳ ପଛାଇ ନାହିଁ । ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ହଟାଯାଇଛି, କିନ୍ତୁ ପ୍ରଣବ ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଚନ୍ଦ୍ରସାରଥୀ ବେହେରାଙ୍କ ଭଳି ଅନଭିଜ୍ଞ ନେତାଙ୍କୁ ଜିଲ୍ଲା ସଂଗଠନ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ପ୍ରଣବପ୍ରକାଶ ନିଜ ଜିଲ୍ଲାରୁ କାହାରିକୁ ମନ୍ତ୍ରୀ କିମ୍ବା ସରକାରରେ କୌଣସି ଦାୟିତ୍ୱ ଦେବା ସପକ୍ଷରେ ନଥିବାରୁ ପ୍ରମିଳା ମଲ୍ଲିକଙ୍କ ବାଚସ୍ପତି ଓ ମନ୍ତ୍ରୀ ହେବା ଆଶା ମଧ୍ୟ ମଉଳି ଯାଇଛି। ପ୍ରମିଳା ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବେ ବୋଲି ଆଶା ବାନ୍ଧି ବସିଥିବାବେଳେ ତାଙ୍କୁ ପର୍ଯ୍ୟବେକ୍ଷକ କରାଯିବାପରେ ତାଙ୍କର ଏହି ଆଶାରେ ମଉଳି ଯାଇଛି। ସେହିପରି ବଲାଙ୍ଗିର ଜିଲ୍ଲା ସାଂଗଠନିକ କାର୍ଯ୍ୟରୁ ବଲାଙ୍ଗିର ରାଜପରିବାରକୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଛି। କଳିକେଶ ସିଂହଦେଓ, ଏୟୁ ସିଂହଦେଓଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରାଯାଇନି।

Leave A Reply

Your email address will not be published.