ପାରଳାଖେମୁଣ୍ଡି : ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତିନି ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ପାରଳାଖେମୁଣ୍ଡି ପୁଲିସ୍। ଏହି ଅଭିଯୁକ୍ତମାନେ ହେଲେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ। ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏମାନଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛନ୍ତି। ଏହି ତିନି ଜଣ ଷଡ଼ଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରିଥିବା ନେଇ ସେ ଗତକାଲି ଏଫ୍ଆଇଆର ଦେଇଥିଲେ। ବୋହୂ ବିଦ୍ୟା ଭାରତୀ ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିବା ନେଇ ସୌମ୍ୟରଞ୍ଜନଙ୍କ ବାପା ତାଙ୍କ ଏଫ୍ଆଇଆର୍ରେ ଉଲ୍ଲେଖ କରିଛନ୍ତି। ଅଭିରାମଙ୍କ ଅଭିଯୋଗ ଅନୁଯାୟୀ, ଡିଏଫଓ ତାଙ୍କ ପୁଅ ସୌମ୍ୟରଞ୍ଜନଙ୍କ କ୍ୱାର୍ଟର୍ସକୁ ଯାଉଥିଲେ। ତାଙ୍କ ବୋହୂ ବିଦ୍ୟା ଭାରତୀଙ୍କ ସହିତ ଡିଏଫ୍ଓଙ୍କର ସଂପର୍କ ଥିଲା। ଏହି ଦୁଇ ଜଣଙ୍କୁ ସୌମ୍ୟଙ୍କ ଘରେ ରୋଷେଇ କରୁଥିବା ଗାର୍ଡ ସହଯୋଗ କରୁଥିଲେ। ଏମିତିକି ବିଭିନ୍ନ ଆଳ ଦେଖାଇ ସୌମ୍ୟରଞ୍ଜନଙ୍କୁ ରାତି ଡ୍ୟୁଟି ଦିଆଯାଉଥିଲା। ଏସବୁ ସଂପର୍କରେ ନିଜେ ସୌମ୍ୟରଞ୍ଜନ ତାଙ୍କୁ କହିଥିବା ଅଭିରାମ କହିଛନ୍ତି।