ରାଜ୍ୟ ସରକାରଙ୍କୁ ତାଗିଦ୍ : ଆଇଟି ଆକ୍ଟ ଧାରା ୬୬ (କ)ରେ ରୁଜୁ ସବୁ ମାମଲାକୁ ତୁରନ୍ତ ପ୍ରତ୍ୟାହାର କର

ଭୁବନେଶ୍ୱର : ଆଇଟି ଆକ୍ଟ-୨୦୦୦ର ଧାରା ୬୬(କ)ରେ ପୁଲିସ କରିଥିବା ସମସ୍ତ ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ବୁଧବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ସୁପ୍ରିମକୋର୍ଟ ୨୦୧୫ ମସିହା ମାର୍ଚ୍ଚ ୨୪ତାରିଖରେ ଆଇଟି ଆକ୍ଟର ଏହି ଧାରାକୁ ଅକାମୀ କରିବା ସତ୍ତ୍ୱେ ପୁଲିସ ଦ୍ୱାରା ଏହି ଧାରାରେ ମାମଲା ରୁଜୁ କରାଯାଉଥିବାକୁ ନେଇ କେନ୍ଦ୍ର ସରକାର ଉଦବେଗ ବ୍ୟକ୍ତ କରିବା ସହ ତୁରନ୍ତ ଏଭଳି ମାମଲାକୁ ପ୍ରତ୍ୟାହାର ପାଇଁ କହିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଉପସଚିବ ଶୈଳେନ୍ଦ୍ର ବିକ୍ରମ ସିଂ ବୁଧବାର ଓଡ଼ିଶା ସମେତ ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ଚିଠି ଲେଖି ସୁପ୍ରିମକୋର୍ଟ ନିରସ୍ତ୍ର କରିଥିବା ଏହି ପ୍ରାବଧାନ ସମ୍ପର୍କରେ ପୁଲିସକୁ ଆବଶ୍ୟକ ସଚେତନ ପାଇଁ ଗୃହ ମନ୍ତ୍ରଣାଳୟ ଏକାଧିକ ଥର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । କିନ୍ତୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରୁ ଜଣାପଡ଼ିଛି ଯେ, ଏବେବି ଅନେକ ପୁଲିସ ଅଧିକାରୀ ଆଇଟି ଆକ୍ଟ-୨୦୦୦ର ଧାରା ୬୬କ ପ୍ରାବଧାନ ଆଧାରରେ ମାମଲା ରୁଜୁ କରୁଛନ୍ତି । ତେଣୁ ଏହି ପ୍ରାବଧାନ ଉଚ୍ଛେଦ ହୋଇସାରିଥିବାରୁ କୌଣସି ପୁଲିସ ଥାନାରେ ଯେଭଳି ଉକ୍ତ ପ୍ରାବଧାନ ଅନ୍ତର୍ଗତ ମାମଲା ପଞ୍ଜିକୃତ ନହୁଏ, ତାହା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଏହି ଧାରାରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି ।

Leave A Reply

Your email address will not be published.