ଭୁବନେଶ୍ୱର ରେଳଷ୍ଟେସନ ହେବ ‘ବିଶ୍ୱସ୍ତରୀୟ’

ଭୁବନେଶ୍ୱର :  ରାଜଧାନୀ ଭୁବନେଶ୍ୱରସ୍ଥିତ ରେଳଷ୍ଟେସନରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ଜାରି ରହିଛି। ଆସନ୍ତା ୬ମାସ ମଧ୍ୟରେ ଏନେଇ ଟେଣ୍ଡର ଡକାଯିବ ଓ ତା’ପରେ ଯୋଜନା ଅନୁସାରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର ବିଦ୍ୟା ଭୂଷଣ କହିଛନ୍ତି। ଆଜି ଅପରାହ୍ନରେ ଶ୍ରୀ ଭୂଷଣ ଭୁବନେଶ୍ୱର ରେଳଷ୍ଟେସନ ପରିଦର୍ଶନରେ ଯାଇ ସେଠାରେ ଆବଶ୍ୟକ ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭୁବନେଶ୍ୱର ରେଳଷ୍ଟେସନର ଭିତ୍ତିଭୂମି ପୁନଃବିକଶିତ କରିବା ପାଇଁ ରାଜ୍ୟ ସରକାର ଓ ପୂର୍ବତଟ ରେଳବାଇ ମଧ୍ୟରେ ୨୦୧୯ ସେପ୍ଟେମ୍ବର ମାସରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପ୍ରାୟ ୧୦୭୫କୋଟି ଟଙ୍କା ବ୍ୟୟରେ ବିକଶିତ କରାଯିବ। ଏଥିରେ ସପିଂ କମ୍ପେ୍ଲକ୍ସ, ରେଷ୍ଟୁରାଣ୍ଟ, ପାର୍କିଂ ଓ ଅନ୍ୟାନ୍ୟ ସୁବିଧା ସହ ୨ଟି ଅତିରିକ୍ତ ରେଳ ଲାଇନ୍ ମଧ୍ୟ ନିର୍ମାଣ ହେବ। ଏହା ଅତ୍ୟାଧୁନିକ ବ୍ୟବସାୟିକ କେନ୍ଦ୍ର ଭାବେ ନିର୍ମାଣ କରାଯିବ, ଯାହାକି ପୂର୍ବ ଭାରତରେ ସବୁଠୁ ଭଲ ରେଳଷ୍ଟେସନ ହେବ। ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ନିୟମିତ ଭାବେ ଏନେଇ ବୈଠକ ଜାରି ରହିଛି। ଏହି ରେଳଷ୍ଟେସନର ଭିତ୍ତିଭୂମି ବିକଶିତ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓ ନିର୍ମାଣ ପାଇଁ ପ୍ଲାନ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ତେବେ ବିସ୍ତୃତ ପ୍ରକଳ୍ପର ଆକଳନ ଅର୍ଥ ଚୂଡ଼ାନ୍ତ ପରେ ୬ମାସ ସୁଦ୍ଧା ଟେଣ୍ଡର ଡକାଯିବ। ତା’ପରେ ପ୍ଲାନ୍ ଅନୁସାରେ କାର୍ଯ୍ୟ ଆରମ୍ଭ ହେବ। ଭୁବନେଶ୍ୱର ରେଳଷ୍ଟେସନକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ନିମନ୍ତେ ଯଦି କାହାର କିଛି ପରାମର୍ଶ ଥିବ ତାହା ଦେବାକୁ ଶ୍ରୀ ଭୂଷଣ ମଧ୍ୟ ଅପିଲ୍ କରିଛନ୍ତି।

Leave A Reply

Your email address will not be published.