୧୫୩୭ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ରାଜ୍ୟରେ ଆଜି ୧୫୩୭.୦୭ କୋଟି ଟଙ୍କାର ୩ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ୧୧ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଦଘାଟନ ଓ ଶିଳାନ୍ୟାସ କରିଥିବାବେଳେ ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୭୭୩ଜଣଙ୍କୁ ଅତିରିକ୍ତ ନିଯୁକ୍ତି ସୁଯୋଗ ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୪୩୬କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୧୧୦୦କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏସବୁ ପ୍ରକଳ୍ପ ଟେକ୍ସଟାଇଲ, ପରିଧାନ, ସାର, ଅକ୍ଷୟ ଶକ୍ତି, ଫୁଡ୍ ପ୍ରୋସେସିଂ ଓ ୱେଷ୍ଟ ମ୍ୟାନେଜମେଣ୍ଟ ସମ୍ପର୍କିତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସବୁ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ କହିଥିଲେ ଯେ, ଓଡ଼ିଶା ଏବେ ଶୀର୍ଷ ପୁଞ୍ଜିନିବେଶ ସ୍ଥଳୀ ଭାବେ ବିକଶିତ ହେଉଛି। ଓଡ଼ିଶା ପୂର୍ବଭାରତର ମାନ୍ୟୁଫାକଚରିଂ ହବ୍ ଭାବେ ଦ୍ରୁତ ଗତିରେ ବିକଶିତ ହେଉଛି। ଆମ ସରକାରର ସ୍ଥିର ନୀତି ଓ ପାରିପାଶ୍ୱିର୍କ ସୁବିଧା ଯୋଗାଇ ଦିଆଯାଉଥିବାରୁ ରାଜ୍ୟରେ ଶିଳ୍ପାୟନର ଅଭିବୃଦ୍ଧି ହେଉଛି। ଏହାସହିତ କୋଭିଡ୍ ଦ୍ୱିତୀୟ ଲହର ସମୟରେ ଓଡ଼ିଶାର ଶିଳ୍ପାନୁଷ୍ଠାନଗୁଡ଼ିକ ଅକ୍ସିଜେନ୍‌, ଟ୍ୟାଙ୍କର, ଜେନେରେଟର ଓ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ଯୋଗାଇ ଦେଇଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ପରିଚାଳନା ନିର୍ଦ୍ଦେଶକ ବରୁଣ ବେରୀ, ବେଦାନ୍ତ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ନବୀନ ଅଗ୍ରୱାଲ, ୱାଇଲଡ୍ ଟେକ୍ସଟାଇଲ ନିର୍ଦ୍ଦେଶକ ପିଏଲ ମହାନ୍ତି, ଆଦିତ୍ୟ ବିର୍ଲା ରିନ୍ୟୁଏବଲ ସଭାପତି(ଅପରେସନ) ଅମିତାଭ ବର୍ମା ପ୍ରମୁଖ ନିଜର ମତ ରଖିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲ ଏମଡି ବିଏସ ପୁନିଆଙ୍କ ସମେତ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ୍ ତ୍ରିପାଠୀ, ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.