ଆସାମରେ ଆଜି ସବୁ ବିଧାୟକ ଦେଖିବେ ବକ୍ସର ଲଭଲୀନାଙ୍କ ମ୍ୟାଚ, ୨୦ମିନିଟ ସ୍ଥଗିତ ରହିବ ବିଧାନସଭା

ଗୁଆହାଟୀ, ଅଗଷ୍ଟ ୦୪ : ଆସାମର ବକ୍ସର ଲଭଲୀନା ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତ ଲାଗି ଇତିହାସ ରଚିବା ଲକ୍ଷ୍ୟରେ ଓହ୍ଲାଇବେ । ପୂରା ଦେଶ ଲଭଲୀନାଙ୍କ ଉପରେ ନଜର ରଖିଛି । ଆସାମରେ ଆଜି ସମସ୍ତ ବିଧାୟକ ଲଭଲୀନାଙ୍କ ମ୍ୟାଚ ଦେଖିବେ । ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏବଂ ଲଭଲୀନାଙ୍କ ମ୍ୟାଚ ସମୟରେ ବିଧାନସଭାର କାର୍ଯ୍ୟକାଳ ୨୦ ମିନିଟ ଯାଏଁ ସ୍ଥଗିତ ରହିବ । ଆସାମ ସରକାରଙ୍କ ମନ୍ତ୍ରୀ ପୀଜୁସ ହଜାରିକା କହିଛନ୍ତି ଯେ, ଆସାମ ବିଧାନସଭାର କାର୍ଯ୍ୟକାଳ ୨୦ ମିନଟ ପାଇଁ ସ୍ଥଗିତ କରାଯିବ । ଏହି ସମୟରେ ସମସ୍ତ ବିଧାୟକ ବୁଧବାର ଭାରତର ଲଭଲୀନା ବୋରଗୋହେନଙ୍କ ସେମିଫାଇନାଲ ବକ୍ସିଂ ମ୍ୟାଚ ଦେଖିବେ । ଏହା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ୱା ସରମା ମଙ୍ଗଳବାର ସନ୍ଧ୍ୟାରେ ଗୁଆହାଟୀସ୍ଥିତ ନେହରୁ ଷ୍ଟାଡିୟମରେ ମାଟିର ଦୀପ ଜଳାଇଥିଲେ । ମୁଖ୍ୟମନ୍ତ୍ରୀ ବକ୍ସର ଲଭଲୀନାଙ୍କ ବିଜୟ ପାଇଁ ପ୍ରାର୍ଥନା କରିଥିଲେ । ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଆଜି ଭାରତୀୟ ମହିଳା ବକ୍ସର ଲଭଲୀନା ବାର୍ଗୋହେନ୍ ଏବଂ ଚମ୍ପିଅନ୍ ବୁସେନାଜ ସୁରମେଲୀଙ୍କ ମୁକାବିଲା ହେବେ ୬୯ କିଲୋ ବର୍ଗ ଭାରବର୍ଗରେ ଲଭଲୀନା ପୂର୍ବରୁ କାଂସ୍ୟ ପଦକ ସୁନିଶ୍ଚିତ କରିସାରିଛନ୍ତି । ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଆଜିର ମୁକାବିଲାରେ ସଫଳତା ହାସଲ କରି ସେ ଫାଇନାଲକୁ ଯିବାକୁ ଉଦ୍ୟମ କରିବେ । ଏହି ଆଜିର ସଫଳତା ମିଳିବା ପରେ ସେ ଏହି ବର୍ଗରେ ଫାଇନାଲ ପହଂଚିବାରେ ପ୍ରଥମ ମହିଳା ହୋଇପାରିବେ । 

Leave A Reply

Your email address will not be published.