ଭାରତ-ଇଂଲଣ୍ଡ ଟେଷ୍ଟ: ଆଜି ପ୍ରଥମ ମୁକାବିଲା

ନଟିଂହାମ୍‌, ଅଗଷ୍ଟ ୦୪ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ସମୟ ଅପରାହ୍ନ ସାଢ଼େ ୩ଟାରେ ଏହି ମ୍ୟାଚ ଖେଳାଯିବ । ନଟିଂହାମ୍‌ର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ବହୁପ୍ରତିକ୍ଷୀତ ମ୍ୟାଚ୍ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଜିତି ଅଗ୍ରଣୀ ରହିବାକୁ ଉଦ୍ୟମ କରିବ ଭାରତୀୟ ଟିମ୍ ।  ଭାରତ ଓ ଇଂଲଣ୍ଡ ମଧ୍ୟରେ ୧୯୩୨ ମସିହାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ସେହି ଦିନ ଠାରୁ ଏପର୍ଯ୍ୟନ୍ତ ମୋଟ ୩୪ଟି ଦ୍ୱିପାକ୍ଷି ଟେଷ୍ଟ ଶୃଙ୍ଖଳା ଖେଳାଯାଇଛି । ଏଥିରେ ଇଂଲଣ୍ଡ ୧୯ଟି ଓ ଭାରତ ୧୧ଟି ଜିତିଛି । ୪ଟି ଶୃଙ୍ଖଳାର ରେଜଲ୍ଟ ବାହାରି ନାହିଁ । ଇଂଲଣ୍ଡ ମାଟିରେ ଭାରତ ୧୮ଟି ଟେଷ୍ଟ ମ୍ୟାଚ ଖେଳିଥିଲେ ବି ମାତ୍ର ୩ଟିରେ ବିଜୟୀ ହୋଇଛି । ୧୪ଟି ମ୍ୟାଚରେ ଇଂଲଣ୍ଡ ଜିତିଥିବା ବେଳେ ଗୋଟିଏ ମାତ୍ର ମ୍ୟାଚ୍ ଫଳାଫଳ ବାହାରି ନଥିଲା ।  ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇବ । ଶୁଭମନ ଗିଲଙ୍କ ପରେ ଆହତ ହୋଇ ମୟଙ୍କ ଅଗ୍ରୱାଲ ପୂର୍ବରୁ ଟେଷ୍ଟ ଶୃଙ୍ଖଳାରୁ ବାହାରି ଯାଇଛନ୍ତି । ଫଳରେ ରୋହିତ ଶର୍ମାଙ୍କ ସହିତ କିଏ ଓପନିଂ କରିବେ, ସେନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । କେଏଲ୍ ରାହୁଲ ଟିମ୍ ଇଣ୍ଡିଆ ସହିତ ଇଂଲଣ୍ଡରେ ଅଛନ୍ତି । ତେଣୁ ପ୍ରଥମ ଟେଷ୍ଟରେ ସୁଯୋଗ ମିଳିଲେ ରାହୁଲ ଓପନିଂଗ କରିପାରନ୍ତି ।  ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରେ ଏବେ ଭାରତୀୟ ଟିମକୁ ଅଗଷ୍ଟ-ସେପଟେମ୍ବରରେ ୫ଟି ଟେଷ୍ଟ ଖେଳିବାକୁ ହେବ । ଅଗଷ୍ଟ ୪ରୁ ୮ ମଧ୍ୟରେ ନଟିଂହାମରେ ପ୍ରଥମ ଟେଷ୍ଟ, ୧୨ରୁ ୧୬ ଲଡର୍ସରେ ୨ୟ, ଲିଡ୍‌ସରେ ୨୫ରୁ ୨୯ ମଧ୍ୟରେ ୩ୟ, ସେପଟେମ୍ବର ୨ରୁ ୬ ଲଣ୍ଡନରେ ୪ର୍ଥ ଏବଂ ଶେଷ ମ୍ୟାଚ ମଂଚେଷ୍ଟରରେ ଖେଳାଯିବ ।

Leave A Reply

Your email address will not be published.