ପିତାଙ୍କ ପ୍ରେରଣାରେ ଆଇଏଏସ୍ ହେଲେ ଅଙ୍କିତା ଚୌଧୁରୀ

ନୂଆଦିଲ୍ଳୀ, ଅଗଷ୍ଟ ୦୫ : ହରିୟାଣାର ରୋହତକ ନିବାସୀ ଅଙ୍କିତା ଚୌଧୁରୀ ମାନସିକ ଚାପରେ ଥାଇ ମଧ୍ୟ ଆଇଏଏସ୍ ଅଧିକାରୀ ହୋଇପାରିଛନ୍ତି । ୟୁପିଏସ୍‌ସି ପରୀକ୍ଷାରେ ସେ ପୂର୍ବରୁ ଫେଲ ମଧ୍ୟ ହୋଇଛନ୍ତି । କିନ୍ତୁ ସେ ପରାଜୟକୁ ସ୍ୱୀକାର କରିନାହାନ୍ତି । ଦ୍ୱିତୀୟ ଥର ଉଦ୍ୟମ କରି ୧୪ତମ ରାଙ୍କରେ ସେ ଆଇଏଏସ୍ ହେବାର ସ୍ୱପ୍ନକୁ ପୂରା କରିଛନ୍ତି । ଏଥି ସହିତ ସେ ଝିଅମାନଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇପାରିଛନ୍ତି । ନିକଟରେ ଆସପେରିଆଣ୍ଟ ନାମକ ଏକ ସିରିଜ ଆସିଥିଲା, ଯେଉଁଥିରେ କି ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ହେଉଥିବା ତିନି ଜଣ ସଫଳ ବ୍ୟକ୍ତିଙ୍କ କାହାଣୀ ପ୍ରସାରଣ ହୋଇଥିଲା । ଏହି ଅବସରରେ ବ୍ୟକ୍ତି ବିଶେଷମାନେ ନିଜର ସଫଳତାର କାହାଣୀ କହୁଥିଲେ ।  ଅଙ୍କିତା ନିଜର ପ୍ରାଥମିକ ଶିକ୍ଷା ରୋହତକସ୍ଥିତ ଇଣ୍ଡସ ପବ୍ଲିକ ସ୍କୁଲରୁ ଆରମ୍ଭ କରିଥିଲେ । ଦ୍ୱାଦଶ ଶ୍ରେଣୀ ପରେ ସେ ଦିଲ୍ଲୀର ହିନ୍ଦୁ କଲେଜରେ ପ୍ରବେଶ କରିଥିଲେ । ଏଠାରେ ସେ ରସାୟନ ବିଜ୍ଞାନରେ ସ୍ନାତକ ପଢ଼ିଥିଲେ । ଗ୍ରାଜୁଏସନ ପରେ ସେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ସେ ଯେତେବେଳ ପର୍ଯ୍ୟନ୍ତ ସ୍ନାତକୋତ୍ତର ଶେଷ କରି ନଥିଲେ, ସିବିଲ ପରୀକ୍ଷା ଦେଇ ନଥିଲେ । ଏହା ପରେ ସେ ପଢ଼ାପଢ଼ିରେ ଅଧିକ ସମୟ ଦେଲେ ।  ୟୁପିଏସସି ପଢ଼ିବା ସମୟରେ ଦୁର୍ଘଟଣାରେ ତାଙ୍କର ମା’ଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ସେ ଭାଙ୍ଗି ପଡ଼ିଥିଲେ । କିନ୍ତୁ ପିତା ସତ୍ୟବାନଙ୍କର ପ୍ରେରଣାରେ ସେ ନିଜକୁ ମଜବୁତ କରିଥିଲେ । ତାଙ୍କର ପିତା ରୋହତକସ୍ଥିତ ଏକ ଚୀନି କାରଖାନାରେ ଆକାଉଣ୍ଟଣ୍ଟାନ ଥିଲେ । ସେ ଝିଅକୁ ଆଇଏସ କରିବାରେ ବଡ଼ ଭୂମିକା ନେଇଥିଲେ । 

Leave A Reply

Your email address will not be published.