ଉତ୍ତର ପ୍ରଦେଶ ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ, ଅଗଷ୍ଟ ୦୬ : ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରସ୍ତୁତି ଆରମ୍ଭ କରିଦେଇଛି । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨ ଦିନିଆ ଉତ୍ତରପ୍ରଦେଶ ଗସ୍ତ କରୁଛନ୍ତି । ଜେପି ନଡ୍ଡାଙ୍କ ଏହି ଗସ୍ତ ଅଗଷ୍ଟ ୭ ତାରିଖ ଠାରୁ ଆରମ୍ଭ ହେବ । ସେ ରାଜ୍ୟର ସମସ୍ତ ମୋର୍ଚ୍ଚାର ସଭାପତିଙ୍କୁ ଭେଟିବେ ଏବଂ ନିର୍ବାଚନୀ ରଣନୀତି ନେଇ ବିସ୍ତୃତ ଚର୍ଚ୍ଚା କରିବେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତ ୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତ୍ତର ପ୍ରଦେଶ ଗସ୍ତ କରିଥିଲେ ।  ଜେପି ନଡ୍ଡା ଅଗଷ୍ଟ ୭ ତାରିଖରେ ରାଜଧାନୀ ଲଖନଉ ଏବଂ ଅଗଷ୍ଟ ୮ ତାରିଖରେ ଆଗ୍ରାରେ ଦଳୀୟ କର୍ମୀଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଉତ୍ତରପ୍ରଦେଶ ରାଜ୍ୟ ମହାସଚିବ ଜେପିଏସ ରାଠୋର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ, ଜେପି ନଡ୍ଡା ଅଗଷ୍ଟ ୭ ତାରିଖ ପୂର୍ବାହ୍ନ ୧୧ଟାରେ ଲଖନଉ ପହଂଚିବେ । ସେ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ରାଜ୍ୟରେ ପାର୍ଟିର ନବନିର୍ବାଚିତ ଜିଲ୍ଲା ପରିଷଦ ଓ ବ୍ଲକ ପ୍ରମୁଖଙ୍କ ସମ୍ମିଳନୀକୁ ସଂବୋଧିତ କରିବେ । ସେହିପରି ସେ ପାର୍ଟିର ସମସ୍ତ ୪୦୩ ବିଧାନସଭା କ୍ଷେତ୍ରର ପ୍ରଭାରୀଙ୍କ ବୈଠକକୁ ମାର୍ଗଦର୍ଶନ ଦେବେ ।  ଏହା ପରେ ଜେପି ନଡ୍ଡା ରାଜ୍ୟ ମୁଖ୍ୟାଳୟ ପହଂଚି ପାର୍ଟିର ସଂଗଠନାତ୍ମକ ବୈଠକରେ ଉପସ୍ଥିତ ରହି ପଦାଧିକାରୀ ଓ ଅନ୍ୟ ପ୍ରମୁଖ ନେତାଙ୍କୁ ସଂବୋଧିତ କରିବେ । ନଡ୍ଡା ଅଗଷ୍ଟ ୮ ତାରିଖ ସକାଳୁ ଲଖନଉରୁ ଆଗ୍ରା ଗସ୍ତ କରିବେ । ସେଠାରେ ପାର୍ଟି ଦ୍ୱାରା ଆୟୋଜିତ ଡାକ୍ତରଙ୍କ ସମ୍ମିଳନୀକୁ ସଂବୋଧିତ କରିବେ ଏବଂ ସନ୍ଧ୍ୟାରେ ଦିଲ୍ଲୀ ଫେରିବେ ।   

Leave A Reply

Your email address will not be published.