ଆଜି ଉଜ୍ଜଳା ଯୋଜନା ୨.୦କୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ଅଗଷ୍ଟ ୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜ୍ଜଳା ଯୋଜନା-୨ର ଶୁଭାରମ୍ଭ କରିବେ । ଆର୍ଥିକ ଭାବେ ଅନଗ୍ରସର ପରିବାରକୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଲାଭ ପହଂଚାଇବ । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଟୁଇଟ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରୋଷେଇ ଗ୍ୟାସର ଏହି ସୁବିଧାର ଶୁଭାରମ୍ଭ ମହୋବାରୁ ଆଜି ଅପରାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ କରିବେ । ମୋଦୀ ଶୁଭାରମ୍ଭ ଅବସରରେ ହିତାଧିକାରୀଙ୍କ ସହିତ କଥା ହେବେ । ଏହି କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ । ଉଜ୍ଜଳା ଯୋଜନା ଏବଂ ବିଶ୍ୱ ବାୟୋଫୁଏଲ ଦିବସ ଅବସରରେ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରଦଶିତ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଅମୃତସର, ଡେରାଡୁନ, ଇମ୍ଫାଲ, ଉତ୍ତର ଗୋଆ ଓ ଗୋରଖପୁରରେ ଜଣେ ଲେଖାଏଁ ମହିଳା ହିତାଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କଥାହେବେ । ଏହା ପରେ ସେ କାର୍ଯ୍ୟକ୍ରମକୁ ସଂବୋଧିତ କରିବେ । ସୂଚନାଯୋଗ୍ୟ, ଉଜ୍ଜଳା ଯୋଜନା ୨୦୧୬ରେ ଆରମ୍ଭ ହୋଇଥିଲା । ଏହି ସମୟରେ ଗରୀବୀ ସୀମା ରେଖା (ବିପିଏଲ) ଅଧିନରେ ରହୁଥିବା ଗରିବ ପରିବାରକୁ ସାମିଲ କରାଯାଇଥିଲା । ୫ କୋଟି ମହିଳା ସଦସ୍ୟଙ୍କୁ ଏଲପିଜି ସଂଯୋଗୀକରଣ କରାଯିବାର ଲକ୍ଷ୍ୟ ରଖାଯାଇଥିଲା । ଏହପରେ ଏହି ଯୋଜନାର ସଂପ୍ରସାରଣ ୨୦୧୮ ଏପ୍ରିଲରେ କରାଯାଇଥିଲା । ଏବେ ଯୋଜନା ଅନ୍ତର୍ଗତ ଅନୁସୂଚୀତ ଜାତି/ଜନଜାତି, ପିଏମଏୱାଇ, ସବୁଠାରୁ ପଛୁଆ ବର୍ଗ, ଚା’ବଗିଚା, ବନବାସୀ, ଦ୍ୱୀପ ସମୂହକୁ ସାମିଲ କରାଯାଇଛି । ଏବେ ଲକ୍ଷ୍ୟକୁ ୮ କୋଟି ସଂଯୋଗୀକରଣ ଲକ୍ଷ୍ୟ ରଖାଯାଇଥିଲା, ଯାହାକୁ ୨୦୧୯ ଅଗଷ୍ଟ ପୂର୍ବରୁ ହାସଲ କରାଯାଇଥିଲା ।  

Leave A Reply

Your email address will not be published.