ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ କରିଥିବା ଆବେଦନ ପ୍ରତ୍ୟାହାର କଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର, ଅଗଷ୍ଟ ୧୪ : ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ବର୍ଷେରୁ ଉର୍ଦ୍ଧ୍ୱ ସମୟ ହେଲାଣି ମାତ୍ର ଏପର୍ଯ୍ୟନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚ ଏହି ମାମଲାର ଖିଅ ଖୋଜି ପାଉନି ।  ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରଶ୍ନ ଉଠିବା ପରେ ଗୋଟିଏ ପ୍ରକାର ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ରଖିଛି ଏହି ମାମଲା । ଯାହାକୁ ନେଇ ମୃତ ଆଦିତ୍ୟ ଦାସଙ୍କ ପରିବାର ଲୋକ ମଧ୍ୟ ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟା ଉପରୁ ଆସ୍ଥା ହରାଇ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  କିନ୍ତୁ ଏବେ ଏହି ମାମଲାରେ ପୁଣି ନୂଆ ମୋଡ ଆସିଛି । ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ କରାଯାଇଥିବା ଅବେଦନ କୁ ପ୍ରତ୍ୟାହାର କରିଛନ୍ତି ମୃତ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ ।ସୂଚନା ଅନୁସାରେ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଦିତ୍ୟଙ୍କ ମା ପଦ୍ମାଳୟା ଦାସ, ବାପା ନନ୍ଦିକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ମିଳିତ ଭାବେ ଦାୟର ଆବେଦନର ଶୁଣାଣି ସମୟରେ ଆବେଦନକାରୀ ନମ୍ବର-୩ ବିଦ୍ୟାଶ୍ରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସେ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି ।ବିଦ୍ୟାଶ୍ରୀଙ୍କ ପକ୍ଷରୁ ଏକ ଉତ୍କୃଷ୍ଟ ଓ ପୃଥକ ଆବେଦନ ଦାଖଲ କରାଯିବ ବୋଲି ତାଙ୍କ ଆଇନଜୀବୀ କହିଥିଲେ । ଖଣ୍ଡପୀଠ ଏଥିପାଇଁ ଅନୁମତି ଦେଇଛନ୍ତି । ଏହାପରେ ବିଦ୍ୟାଶ୍ରୀ ପୁଣି କେବେ ପୃଥକ୍ ଆବେଦନ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ଆଦିତ୍ୟଙ୍କ ବାପା ଓ ମା’ଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣୀ ଅଗଷ୍ଟ ୨୪ ରେ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.