ଅର୍ଥ ଅଭାବରୁ ଖଟିଆରେ ବୁହା ହେଉଛି ମୃତଦେହ

କନ୍ଧମାଳ, ଅଗଷ୍ଟ ୧୩ : ରାଜ୍ୟବାସୀଙ୍କ ପାଇଁ ମାଳମାଳ ଯୋଜନା କରିଛନ୍ତି ରାଜ୍ୟ ସରକାର । ଛୁଆ ଜନ୍ମ ଠାରୁ ନେଇ ମଣିଷ ମଲା ପର୍ଯ୍ୟନ୍ତ ମଶାଣି ଯିବା ପାଇଁ ଆମ ରାଜ୍ୟରେ ଯୋଜନା ରହିଛି । ମାତ୍ର ସବୁ ସମୟ ଭଳି ଏବେବି ସେହି ସମାନ ପ୍ରଶ୍ନ ଏତେ ସବୁ ଯୋଜନା କାହା ପାଇଁ? ଲୋକଙ୍କୁ କଣ ଏହି ସବୁ ସରକାରୀ ଯୋଜନାର ଲାଭ ମିଳୁଛି! ଏମିତି କିଛି ପ୍ରଶ୍ନ ପୁଣି ଉଠିଛି ଓ ରାଜ୍ୟ ସରକାରଙ୍କ ସରକାରୀ ଯୋଜନାର ଗୁମର ଫିଟାଇଛି କନ୍ଧମାଳ ଜିଲ୍ଲାର ଏକ ଦୃଶ୍ୟ । ଆଜି ବି ଅର୍ଥ ଅଭାବରୁ ମୃତ୍ୟୁ ପରେ ଖଟିଆରେ ବୁହାହେଉଛି ମୃତଦେହ । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଗୋଚ୍ଛିପଡା ଅଞ୍ଚଳରେ ଜଣେ ମହିଳାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ପରେ ହସ୍ପିଟାଲରୁ ଘରକୁ ମୃତ ଦେହ ନେବା ପାଇଁ ମିଳିନଥିଲା କୌଣସି ମହାପ୍ରୟାଣ ଗାଡି କି ଆମ୍ବୁଲାନ୍ସ । ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ଲୋକଙ୍କ ବାରମ୍ବାର ଗୁହାରି ସତ୍ୱେ ମିଳିପାରିନଥିଲା କୌଣସି ସୁବିଧା । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବାରୁ ସେଠାରେ ଶବଦାହକ ବ୍ୟବସ୍ଥା କରାଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା । ଏହାପରେ ଘରୋଇ ଆମ୍ବୁଲାନ୍ସ ପାଇଁ ଭଡା ଯୋଗାଡ ନକରିପାରିବାରୁ ବାଧ୍ୟ ହୋଇ ମୃତକଙ୍କ ପରିବାର ଲୋକ ଏକ ଖଟିଆରେ ମୃତଦେହ ବୁହାଇ ଦୀର୍ଘ ୧ କିମି ବାଟ ଘରକୁ ନେଇଥିଲେ । କେବଳ ଏହି ଗୋଟିଏ ଦୃଶ୍ୟ ନୁହେଁ ରାଜ୍ୟରେ ଏମିତି ଅନେକ ଦୃଶ୍ୟ ପ୍ରତିଦିନ ସାମ୍ନାକୁ ଆସୁଛି ଯାହା ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଉପରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।

Leave A Reply

Your email address will not be published.