୨ୟ ଟେଷ୍ଟ: ପ୍ରଥମ ପାଳିରେ ଇଂଲଣ୍ଡର ସ୍କୋର ୧୧୯-୩, ଭାରତ ୨୪୫ ରନ୍‌ରେ ଅଗ୍ରଣୀ

ଲଣ୍ଡନ, ଅଗଷ୍ଟ ୧୩ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ ୧୨ ତାରିଖଠାରୁ ଆରମ୍ଭ ହୋଇଥିବା ୨ୟ ଟେଷ୍ଟ ମ୍ୟାଚର ଆଜି ତୃତୀୟ ଦିନ । ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ପ୍ରଥମ ପାଳିରେ ୩୬୪ ରନ୍ କରିଥିଲା । ତେବେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୧୧୯ ରନ୍‌ରେ ୩ଟି ୱିକେଟ ହରାଇଛି । ଫଳରେ ଭାରତ ୨୪୫ ରନ୍‌ରେ ଅଗ୍ରଣୀ ରହିଛି । ଇଂଲଣ୍ଡର ଅଧିନାୟକ ଜୋଏ ରୁଟ ୭୫ଟି ବଲ ଖେଳି ୬ଟି ଚୌକା ବଳରେ ୪୮ ରନ୍ କରି ଅପରାଜିତ ଅଛନ୍ତି । ତାଙ୍କ ସହିତ ଅଛନ୍ତି ଜନି ବେୟାରଷ୍ଟୋ (୬ ରନ୍‌) । ମହମ୍ମଦ ସିରାଜ ୧୫ତମ ଓଭରରେ ଲଗାତାର ଡୋମ ସବଲୀ (୧୧) ଓ ହସୀବ ହମୀଦ (୦)କୁ ଆଉଟ କରି ଭାରତକୁ ସଫଳତା ଦେଇଥିଲେ । ଏହା ପରେ ରୋରୀ ବର୍ନ୍ସ (୪୯)ଙ୍କୁ ମହମ୍ମଦ ସାମି ଏଲବିଡବ୍ଲ୍ୟ କରିଥିଲେ । ତେବେ ପ୍ରଥମ ଦିନରେ ଭାରତୀୟ ଓପନର ଭଲ ବ୍ୟାଟିଂ କରିଛନ୍ତି । ହିଟ୍ ମ୍ୟାନ୍ ରୋହିତ ଶର୍ମା ୮୩ ରନ୍ କରି ଆଉଟ ହୋଇଥିଲେ । ସେ ୧୧ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଏହି ରନ୍ ଦଳ ପାଇଁ ଯୋଡ଼ିଥିଲେ । ଚେତେଶ୍ୱର ପୂଜାର ୯ ରନ୍ ସଂଗ୍ରହ କରିଥିଲେ । ଉଭୟ ରୋହିତ ଏବଂ ଚେତେଶ୍ୱରଙ୍କୁ ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ ଆଉଟ କରିଥିଲେ ।  ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଅର୍ଦ୍ଦଶତକ ହାସଲ କରିବାରୁ ବଂଚିତ ହୋଇଥିଲେ । ସେ ୪୨ ରନ୍ ସଂଗ୍ରହ କରି ରବିନସନଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ଶେଷ ୮ଟି ୱିକେଟ ୯୭ ରନ୍‌ରେ ହରାଇଥିଲା । ରବୀନ୍ଦ୍ର ଜାଦେଜା (୧୨୦ ବଲରୁ ୪୦ ରନ୍‌)   ଓ ଋଷଭ ପନ୍ତ (୫୮ ବଲରୁ ୩୭ ରନ୍‌) ୬ଷ୍ଠ ୱିକେଟ ପାଇଁ ୪୯ ରନ୍ କରିଥିଲେ । 

Leave A Reply

Your email address will not be published.