ରାଜ୍ୟରେ ବଢୁଛି ପିଲାଙ୍କ କରୋନା ଗ୍ରାଫ

ଭୁବନେଶ୍ୱର, ଅଗଷ୍ଟ ୧୭ : ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରଭାବ ଜାରି ରହିଛି ବୋଲି ରାଜ୍ୟ ସରକାର କହୁଛନ୍ତି । ମାତ୍ର ଗତ କିଛି ଦିନ ହେବ ରାଜ୍ୟରେ ୧୮ ବର୍ଷରୁ କମ୍ କରୋନା ପଜିଟିଭ୍ ସଂଖ୍ୟା ଭୟ ବଢାଇଛି । ଗତ ୪ ଦିନ ହେବ ଦୈନିକ ପ୍ରାୟ ୧୦୦ ଜଣ ପିଲା ବା ୧୮ ବର୍ଷରୁ କମ୍ ବୟସ୍କ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ପୂର୍ବ ଅନୁମାନ ଅନୂଯାଇ ତୃତୀୟ ଲହରର ସର୍ବାଧିକ ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡିବ । ଏପଟେ ରାଜ୍ୟରେ ପିଲାଙ୍କ କରୋନା ଗ୍ରାଫକୁ ଦେଖି ମନେ ହେଉଛି ବୋଧହୁଏ ରାଜ୍ୟରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଗଲାଣି । ରାଜ୍ୟ ସରକାରଙ୍କ ତଥ୍ୟ ଅନୂଯାଇ ଗତ ୧୫ ତାରିଖରେ ରାଜ୍ୟରେ ୧୩୮ ଜଣ ପିଲା ବା ୧୮ ବର୍ଷରୁ କମ୍ ବୟସ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିଭଳି ଗତ କାଲି ଏହି ସଂଖ୍ୟା ୧୦୦ ପାର କରିଥିଲା । ଆଉ ଆଜି ମଧ୍ୟ ୯୬ ଛୁଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ତଥ୍ୟ ଦେଇଛନ୍ତି । ରାଜ୍ୟରେ ଏତେ ମାତ୍ରାରେ ଛୋଟପିଲା କରୋନା ପଜିଟିଭ୍ ଚିହ୍ନଟ ହେବା ଏବେ ଏକ ପ୍ରକାର ଆତଙ୍କ ଖେଳାଇ ରଖିଛି । ପୂର୍ବରୁ ଦ୍ୱିତୀୟ ଲହର ଆରମ୍ଭରେ ରାଜ୍ୟ ସରକାର ଏହା ଦ୍ୱିତୀୟ ଲହର ବୋଲି ମାନି ନଥିଲେ ଯାହାର ଫଳ ଅତି ଭୟଙ୍କର ହୋଇଥିଲା ରାଜ୍ୟ ବାସୀଙ୍କ ପାଇଁ । ସ୍ଥିତି ଏମିତି ହୋଇଥିଲା ଯେ ଏପର୍ଯ୍ୟନ୍ତ ଦ୍ୱିତୀୟ ଲହର ସମୟରେ ରାଜ୍ୟରେ କେତେ ଲୋକଙ୍କ ମୃତ୍ୟୁ ହୋଇଥିଲା ତାହାର ଗଣନା ଶେଷ ହେଉନାହିଁ ।

Leave A Reply

Your email address will not be published.