ଗୋଟିଏ ଦିନରେ ଭାରତରେ ରେକର୍ଡ ୮୮ ଲକ୍ଷ ଡୋଜ କୋଭିଡ ଟିକାକରଣ

ନୁଆଦିଲ୍ଲୀ, ଅଗଷ୍ଟ ୧୭ : ଗତକାଲି ଗୋଟିଏ ଦିନରେ ଭାରତରେ ରେକର୍ଡ ୮୮ ଲକ୍ଷ କୋଭିଡ ଟିକା ପ୍ରଦାନ କରାଯାଇଛି । ଜାନୁଆରି ୧୬ ରୁ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଗୋଟିଏ ଦିନରେ ଏହା ସର୍ବାଧିକ ବୋଲି ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା କ୍ରମେ ଜୁନ୍ ୨୧ ତାରିଖରୁ ଆରମ୍ଭ ହୋଇଥିବା ନୁତନ ପର୍ଯ୍ୟାୟ ଟିକାକରଣ ପରେ ଜୁନ୍ ୨୧ ତାରିଖରେ ସର୍ବାଧିକ ୮୬ ଲକ୍ଷ ଡୋଜ ଟିକା ପ୍ରଦାନ କରାଯାଇଥିଲା ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ। ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ଅତିକମରେ ୮.୧ ନିୟୁତ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଟିକା ଗ୍ରହଣ କରିଛନ୍ତି। ପ୍ରଥମ ପର‌୍ୟ୍ୟାୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକାକରଣ ପାଇଁ ପ୍ରାଥମିକତା ଦିଆଯାଇଥିଲା। ଏହା ପରେ ଫେବୃଆରୀ ୨ରୁ ଟୀକାକରଣ ପ୍ରକ୍ରୀୟାରେ ପୋଲିସ କର୍ମଚାରୀ, ନାଗରିକ କର୍ମଚାରୀ ଇତ୍ୟାଦି ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ତଥ୍ୟ ଅନୁଯାୟୀ, ୧୨.୨ ନିୟୁତ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଥିଲା। ସେହିପରି୧୮-୪୫ ବର୍ଷ ବର୍ଗରେ, ପ୍ରାୟ ୧୬ ନିୟୁତ ଲୋକ ସେମାନଙ୍କର ଦ୍ୱିତୀୟ ଟିକା ଗ୍ରହଣ କରିଛନ୍ତି; ଏବଂ ଅବଶିଷ୍ଟ ଜନସଂଖ୍ୟା ଗୋଷ୍ଠୀ ମଧ୍ୟରେ (୪୫-୫୯ ଏବଂ ୬୦ ବର୍ଷରୁ ଅଧିକ) ପ୍ରାୟ ୮୬ ନିୟୁତ ଲୋକ ଆଜି ପର‌୍ୟ୍ୟନ୍ତ ସେମାନଙ୍କର ଦ୍ୱିତୀୟ ଡୋଜ ଟିକା ଗ୍ରହଣ କରିଛନ୍ତି ବୋଲି ସରକାରୀ ତଥ୍ୟରୁ ସୂଚନା ମିଳିଛି ।  ଟିକା ଯୋଗାଣ ବ୍ୟବସ୍ଥା ଧୀରେ ଧୀରେ ଉନ୍ନତ ହେବା ସହିତ ଦୈନିକ ସଂଖ୍ୟା ବଢିବାକୁ ଯାଉଛି। ଗୋଟିଏ ଦିନରେ ଅଧିକ ଟିକାକରଣ କରିବାର ଆମର ସାମର୍ଥ୍ୟ ଅଛି ଏବଂ ଏହା ଆସନ୍ତା ସପ୍ତାହରେ ଆହୁରି ବୃଦ୍ଧି ପାଇବ ବୋଲି ଏହି ବିଷୟରେ ଅବଗତ ଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.