କାବୁଲ ବିମାନବନ୍ଦରର ପରିଚାଳନା ପାଇଁ ତୁର୍କୀକୁ ବୈଷୟିକ ସାହାଯ୍ୟ ମାଗିଲା ତାଲିବାନ

ଅଙ୍କାରା, ଅଗଷ୍ଟ ୨୬ : ଆଫଗାନିସ୍ତାନରୁ ଆମେରିକା ସେନା ଫେରିଯିବା ପରେ କାବୁଲ ବିମାନବନ୍ଦରକୁ ପରିଚାଳନା କରିବା ପାଇଁ ତୁର୍କୀଠାରୁ ତାଲିବାନ ବୈଷୟିକ ସହାୟତା ଆଶା କରୁଛି । କାବୁଲ ବିମାନବନ୍ଦର ପରିଚାଳନା କରିବା ଲାଗି ତୁର୍କୀ ରାଷ୍ଟ୍ରପତି ରେସେପ ତୈୟାପ ଏର୍ଦୋଗନ ଦୀର୍ଘ ସମୟ ହେବ ତାଲିବାନକୁ ମନାଉଥିଲେ । ସେହି ସମୟରେ ତାଲିବାନ ତୁର୍କୀର ଏହି ଅପିଲକୁ ଖାରଜ କରିବାକୁ ଯାଇ କଡ଼ା ଚେତାବନୀ ଦେଉଥିଲା । ଏବେ ତାଲିବାନ କହିଛି ଯେ, କାବୁଲ ଏୟାରପୋର୍ଟକୁ ପରିଚାଳନା କରିବା ପାଇଁ ତୁର୍କୀ ଠାରୁ ବୈଷୟିକ ସହାୟତା ନେବ । କିନ୍ତୁ ତାଙ୍କର ସେନା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଫେରାଇ ନେବାକୁ ପଡ଼ିବ । ସୂଚନାଯୋଗ୍ୟ, ଏବେ କାବୁଲ ବିମାନବନ୍ଦରରେ ପାଖାପାଖି ୨୦୦ ତୁର୍କୀ ସେନା ମୁତୟନ ଅଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ତୁର୍କୀର ଅଧିକାରୀମାନେ କହିଛନ୍ତି, ଇସଲାମିକ ତାଲିବାନର ସଶର୍ତ୍ତ ଅନୁରୋଧ ଉପରେ ନିଷ୍ପତ୍ତି ନେବା ଅଙ୍କାରାକୁ କଠିନ ହେବ । ମୁସଲିମ ରାଷ୍ଟ୍ର ତୁର୍କୀ ଆଫଗାନିସ୍ତାନରେ ନାଟୋ ମିଶନର ଅଂଶବିଶେଷ ଥିଲା ଏବଂ ଏବେ କାବୁଲ ବିମାନବନ୍ଦରରେ ଶତାଧିକ ସୈନିକ ମୁତୟନ ଅଛନ୍ତି । ଅନ୍ୟପଟରେ ତୁର୍କୀର ଅଧିକାରୀ କହିଛନ୍ତି ଯେ, ସେମାନେ ସର୍ଟ ନୋଟିସ ଉପରେ ନିଜର ସୈନିକଙ୍କୁ ଫେରାଇ ନେବାକୁ ପ୍ରସ୍ତୁତ ଅଛନ୍ତି । 

Leave A Reply

Your email address will not be published.