ବିଜେଡି ନେତାଙ୍କ ଆସରରେ ପହଞ୍ଚିଗଲେ ବିଜେପି କର୍ମୀ

ବ୍ରହ୍ମପୁର : ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିବା ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କରେ ଜମୁଛି ବିଜେଡି ନେତାଙ୍କ ଆସର। ଏହାକୁ ନେଇ ଗତ ରାତିରେ ସେଠାରେ ପହଞ୍ଚିଥିବା କିଛି ବିଜେପି କର୍ମୀଙ୍କ ସହ ପୁଲିସ୍‌ର ଧସ୍ତାଧସ୍ତି ହୋଇଥିଲା। ପୁଲିସ୍‌ ୨୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସୂଚନାଯୋଗ୍ୟ,  ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ପାର୍କ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ବନ୍ଦ ରହିଛି । ଅଗଷ୍ଟ ୧୮ରୁ ୩୦ ତାରିଖ ଯାଏଁ ପାର୍କ ପୂରା ବନ୍ଦ ବୋଲି ସୂଚନା ଫଳକ ବି ଲଗାଯାଇଛି  । ତେବେ ସାଧାରଣ ଲୋକଙ୍କ ପାଇଁ ପାର୍କ ବନ୍ଦ ଥିବା ବେଳେ ରାଜନୈତିକ ଉଦ୍ଦଶ୍ୟରେ କିଭଳି ଭୋଜି ଆୟୋଜନ ହୋଇପାରୁଛି ତାକୁ ନେଇ ପ୍ରଶ୍ନ ଉଠିଛି । ଗତ ରାତିରେ ବିଜେଡିର କେତେକ ବିଧାୟକ ରାମଲିଙ୍ଗମ୍ ପାର୍କରେ ଉପସ୍ଥିତ ଥିବା ବେଳେ ବିଜେପି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ସେଠାରେ ମୁତୟନ ହୋଇଥିବା ପୁଲିସ କର୍ମୀଙ୍କ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଏହାପରେ ପ୍ରବଳ ଉତ୍ତେଜନା ଦେଖାଯିବାରୁ ପୁଲିସ୍‌  ୨୦ରୁ ଅଧିକ ବିଜେପି କର୍ମୀଙ୍କୁ  ଉଠାଇ ନେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ,  ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହାକୁ ଅନୁଧ୍ୟାନ କରିବାକୁ ପର୍ଯ୍ୟାୟ କ୍ରମେ ୧୦୮ ବିଧାୟକ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ରହିଛି।  ସେମାନଙ୍କ ପାଇଁ ରାମଲିଙ୍ଗେଶ୍ୱର ପାର୍କରେ ସବୁ ବ୍ୟବସ୍ଥା କରାଯାଇଛି । ଜନସାଧାରଣଙ୍କ ପାଇଁ ବନ୍ଦ ଥିବା ପାର୍କରେ ବିଧାୟକଙ୍କ ଆସର ଜମୁଥିବାରୁ ଏହାକୁ ବରଦାସ୍ତ କରିପାରୁ ନାହାନ୍ତି ସାଧାରଣ ଲୋକ। ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି।

Leave A Reply

Your email address will not be published.