ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି ୧୩ ଲକ୍ଷ ଲୋକ

ଭୁବନେଶ୍ୱର, ଅଗଷ୍ଟ ୨୮ : ରାଜ୍ୟରେ ତୃତୀୟ ଲହର ପୂର୍ବରୁ ଟିକାକରଣକୁ ତ୍ୱରିତ୍ୱ କରାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ୨ କୋଟିରୁ ଉର୍ଦ୍ଧ୍ୱ ଡୋଜ୍ ଟିକାକରଣ ଶେଷ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଦ୍ୱିତୀୟ ଡୋଜ୍ ଟୀକା ନେବାକୁ ଭୂଲିଯାଇଛନ୍ତି । ରାଜ୍ୟ ସରକାରଙ୍କ ତଥ୍ୟ ଅନୂଯାଇ ରାଜ୍ୟରେ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଥମ ଡୋଜ୍ ଟିକା ନେବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ଲୋକ ଦ୍ୱିତୀୟ ଡୋଜ୍ ଟିକା ମିସ୍ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୪୪ ହଜାର ୭୩୯ ଜଣ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେବା ପରେ ଦ୍ୱିତୀୟ ଡୋଜ୍ ନେବାକୁ ଭୁଲି ଯାଇଛନ୍ତି । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରୁ ୧ ଲକ୍ଷ ୧ହଜାର ୭୧୬ ଜଣ ନିର୍ଦ୍ଧାରିତ ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍ ଟୀକା ନେଇ ନାହାନ୍ତି । ତେବେ ଏତେ ମାତ୍ରାରେ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନଥିବା ଏବେ ଜିଲ୍ଲା ପ୍ରଶାସନ ମାନଙ୍କ ଚିନ୍ତା ବଢାଇଛି । ସେହିପରି ମୟୂରଭଞ୍ଜରେ ୬୫,୭୮୧ଜଣ, କୋରାପୁଟ ୬୧,୪୬୨, କଟକ ୫୬,୦୯୯, କେନ୍ଦୁଝର ୫୪,୬୪୮, ବାଲେଶ୍ୱର ୪୯,୯୧୪, ଭଦ୍ରକ ୪୬,୬୨୮, ସୁନ୍ଦରଗଡ଼ ୪୩,୫୯୫, କଳାହାଣ୍ଡିରେ ୪୦,୦୬୭ଜଣ କୋଭିସିଲ୍‌ଡର ଦ୍ୱିତୀୟ ଡୋଜ୍ ନେବାକୁ ଭୁଲି ଯାଇଛନ୍ତି ।  ଏମାନଙ୍କ ମଧ୍ୟରୁ ପ୍ରାୟ ଲୋକ କୌଣସି ନା କୌଣସି ଅସୁବିଧାରୁ ଦ୍ୱିତୀୟ ଡୋଜ୍ ଟୀକା ନେଇପାରିନଥିବା ଜଣାପଡିଛି । ଅନ୍ୟପଟେ ସେପ୍ଟେମ୍ବର ମାସରେ ଦ୍ୱିତୀୟ ଡୋଜ୍ ଟିକା ମିସ୍ କରିଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.