ବୃହତ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ, ନଭେମ୍ବର ୨୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୧ଟାରେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗରସ୍ଥିତ ଜେୱରରେ ବୃହତ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଶିଳାନ୍ୟାସ କରିବେ। ଏଥି ସହିତ ଉତ୍ତର ପ୍ରଦେଶ ୫ ଅନ୍ତର୍ଜାତୀୟ ବିମାନବନ୍ଦ ଥିବା ପ୍ରଥମ ରାଜ୍ୟ ହୋଇଯିବ। ଜେୱରରେ ନିର୍ମାଣ ହେବାକୁ ଥିବା ଏହି ବିମାନବନ୍ଦର ଦିଲ୍ଲୀ-ଏନସିଆରରେ ଦ୍ବିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ହେବ। ଏହା ଦ୍ବାରା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଚାପ ମଧ୍ୟ କମ ରହିବ।  ବିମାନବନ୍ଦରର ନିର୍ମାଣ କାମ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହାର ବିକାଶ ପାଇଁ ୧୦ହଜାର ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଯୋଗୀ ସରକାର ଏହି ବିମାନବନ୍ଦର ପାଇଁ ୫୮୪୫ ହେକ୍ଟର ଜମି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟର କାମ ପୂରା ହେବା ପରେ ବିମାନବନ୍ଦରର ବାର୍ଷିକ କ୍ଷମତା ୧.୨ କୋଟି ଯାତ୍ରୀ ହେବେ।  ଯୋଗୀ ସରକାରଙ୍କ ଦାବି ଯେ, ଏହା ଏସିଆ ମହାଦେଶର ସର୍ବବୃହତ୍‌ ଓ ବିଶ୍ବର ୪ର୍ଥ ବଡ଼ ବିମାନବନ୍ଦର ହେବ। ବିମାନବନ୍ଦରକୁ ସଂପୂର୍ଣ୍ଣ ଭାବେ ପ୍ରଦୂଷଣମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଭାରତର ଏଭଳି ବିମାନବନ୍ଦର ହେବ, ଯେଉଁଠାରେ କି ଏକୀକୃତ ମଲ୍ଟି ମଡେଲ କାର୍ଗୋ କେନ୍ଦ୍ର ହେବ। ଏତଦ ବ୍ୟତୀତ ଲଜିଷ୍ଟିକ୍‌ ସଂପର୍କିତ ଖର୍ଚ୍ଚ ଏବଂ ସମୟ ମଧ୍ୟ ହ୍ରାସ ପାଇବ। 

gpkandhamal

ଏହି ବିମାନବନ୍ଦରରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଗ୍ରାଉଣ୍ଡ ଟ୍ରାନ୍ସପୋର୍ଟେଶନ ସେଣ୍ଟରକୁ ବିକଶିତ କରାଯିବ। ଏଥିରେ ମଲ୍ଟି ଟ୍ରାଞ୍ଜିଟ କେନ୍ଦ୍ର ରହିବ। ମେଟ୍ରୋ ଏବଂ ହାଇସ୍ପିଡ ରେଳ ଷ୍ଟେସନ ରହିବ। ଟ୍ୟାକ୍ସି, ବସ ସେବା ଏବଂ ଘରୋଇ ବାହନ ପାଇଁ ସୁବିଧା ରହିବ। ବିମାନବନ୍ଦରକୁ ସଡ଼କ, ରେଳ ଓ ମେଟ୍ରୋ ଯୋଡ଼ିବ। ଆଖପାଖର ସମସ୍ତ ରାଜପଥ, ଯମୁନା ଏକ୍ସପ୍ରେସ୍‌-ୱେ, ୱେଷ୍ଟର୍ଣ୍ଣ ପେରିଫେରିଆଲ ଏକ୍ସପ୍ରେସ-ୱେ, ଅନ୍ୟ ଏକ୍ସପ୍ରେସ-ୱେ ମଧ୍ୟ ସଂଯୋଗ କରିବ। ବିମାନବନ୍ଦରକୁ ପ୍ରସ୍ତାବିତ ଦିଲ୍ଲୀ-ବାରାଣସୀ ହାଇସ୍ପିଡ ରେଳ ସହିତ ଯୋଡ଼ିବା ପାଇଁ ଉଦ୍ୟମ କରାଯିବ। ଏହି ବିମାନବନ୍ଦର ନିର୍ମାଣ ହେବା ଦ୍ବାରା ପାଖାପାଖି ୧ ଲକ୍ଷ ଲୋକଙ୍କୁ ପରୋକ୍ଷ ଓ ପ୍ରତକ୍ଷ୍ୟ ଭାବେ ରୋଜଗାର ମିଳିବ। ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଏହା ଏକ ବଡ଼ ପ୍ରକଳ୍ପ। ଏହା କେବଳ ଉତ୍ତର ପ୍ରଦେଶ ପାଇଁ ନୁହେଁ, ବରଂ ଦେଶର ଗୌରବ ହେବ। ଏହି ପ୍ରକଳ୍ପରେ ପାଖାପାଖି ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ସିନ୍ଧିଆ କହିଛନ୍ତି ଯେ, ସ୍ବାଧୀନତାର ୭୦ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ୨ଟି ବିମାନବନ୍ଦର ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶର ପରିବର୍ତ୍ତନ ଆଣିଛନ୍ତି। ଏବେ ଉତ୍ତର ପ୍ରଦେଶରେ ମୋଟ ୯ଟି ବିମାନବନ୍ଦର ଅଛି। ଆଗାମୀ ୫ ବର୍ଷରେ ଉତ୍ତର ପ୍ରଦେଶରେ ବିମାନବନ୍ଦର ସଂଖ୍ୟା ୧୦ରୁ ୧୭ରେ ପହଞ୍ଚିବ। 

Umasankar Adv
Leave A Reply

Your email address will not be published.