ବାବ୍ରି ମସଜିଦ୍‌ ଭଙ୍ଗାରୁଜା ଘଟଣାର ଆଜି ବାର୍ଷିକୀ, କାଶୀ-ମଥୁରା ସମେତ ଅଯୋଧ୍ୟାରେ ପୋଲିସର ବ୍ୟାପକ ବ୍ୟବସ୍ଥା

ଲକ୍ଷ୍ନୌ, ଡିସେମ୍ବର ୦୬ : ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶର ବାବ୍ରି ମସଜିଦ୍‌ ଭଙ୍ଗାରୁଜା ଘଟଣାର ବାର୍ଷିକୀ ଅବସରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷକରି କାଶୀ, ମଥୁରା ଓ ଅଯୋଧ୍ୟାରେ ପୋଲିସ ସୁରକ୍ଷା ଉପରେ ସ୍ବତନ୍ତ୍ର ନଜର ରଖିଛି। ଡିଜିପି ସମସ୍ତ ଜିଲ୍ଲାରେ ପୋଲିସ ଅଧିକାରୀଙ୍କୁ ଅତିରିକ୍ତ ସତର୍କତା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ ବ୍ୟତୀତ ପରଂପରା ବ୍ୟତୀତ କୌଣସି କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିନାହାନ୍ତି। ବାବ୍ରି ବିଧ୍ବଂସର ବାର୍ଷିକୀ ଅବସରରେ ସୁରକ୍ଷାରେ ୧୫୦ ପିଏସ୍‌ସି କଂପାନୀକୁ ନିୟୋଜିତ କରାଯାଇଛି। ସିଆରପିଏଫ୍‌ର ୬ଟି କଂପାନୀ ମଧ୍ୟ ମୁତୟନ ଅଛନ୍ତି। ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ସଂଗଠନ ସହିତ ଆଲୋଚନା ହୋଇଛି। ଆଜି ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଉପସ୍ଥିତ ରହିବେ।  ସୂଚନାଯୋଗ୍ୟ, ୪ଟି ହିନ୍ଦୁବାଦୀ ସଂଗଠନ- ଅଖିଳ ଭାରତୀୟ ହିନ୍ଦୁ ମହାସଭା, ଶ୍ରୀକୃଷ୍ଣ ଜନ୍ମଭୂମି ନିର୍ମାଣ ନ୍ୟାସ, ନାରାୟଣୀ ସେନା ଓ ଶ୍ରୀକୃଷ୍ଣ ମୁକ୍ତି ଦଳ ଡିସେମ୍ବର ୬ ତାରିଖ ମଥୁରାରେ ଅଣ ପାରଂପରିକ କାର୍ଯ୍ୟକ୍ରମ ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ। କିନ୍ତୁ ପ୍ରଶାସନ ଅନୁମତି ପ୍ରଦାନ କରିନାହାନ୍ତି। ମଥୁରା ଜିଲ୍ଲାପାଳ ନଭନୀତ ସିଂହ ଚହଲ କହିଛନ୍ତି ଯେ, ଏଭଳି କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇ ନାହିଁ। କାରଣ ଏଭଳି କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଗଲେ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଭାବିତ ପଡ଼ିବ। 

Leave A Reply

Your email address will not be published.