ରାଜକୀୟ ସମ୍ମାନ ସହିତ ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ନନ୍ଦ ସାର୍‌

ଯାଜପୁର, ଡିସେମ୍ବର ୮ : ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ନନ୍ଦ ସାର୍ । ଯାଜପୁର ଜିଲ୍ଲା ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେ ନନ୍ଦ କିଶୋର ପୃଷ୍ଟିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ରାଜକୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ କରାଯାଇଛି । ଏହି ସମୟରେ କୋଭିଡ କଟକଣାକୁ ମାନି ପରିବାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଥିଲା ।  ସାନ ପୁଅ ନିରଞ୍ଜନ ପୃଷ୍ଟି ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ଯାଜପୁର ଜିଲ୍ଲପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସପି ରାହଲ ପିଆରଙ୍କ ସମେତ ବହୁ ସରକାରୀ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।  ୧୦୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଥିଲା । ପରଲୋକ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ୱର ପୃଷ୍ଟି ସୂଚନା ଦେଇଥିଲେ ।  ସୂଚନା ଅନୁସାରେ, କିଛି ଦିନ ତଳେ ନନ୍ଦ ସାର୍ ଅସୁସ୍ଥ ଅନୁଭବ କରି ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ସେଠାରୁ ତାଙ୍କୁ କଳିଙ୍ଗ ନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିଲେ ।  ସେହିପରି ନଭେମ୍ବର ୯ ତାରିଖରେ ନନ୍ଦ କିଶୋର ପୃଷ୍ଟି ଆଜୀବନ ଶିକ୍ଷକତା ପାଇଁ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନିତ ହୋଇଥିଲେ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର କନ୍ତିରା ଗାଁର ନନ୍ଦ ସାର୍ ୭୫ ବର୍ଷ ହେଲାଣି ନିସ୍ୱାର୍ଥପର ଭାବେ ଗାଁ ଛୁଆଙ୍କୁ ପାଠ ପଢାଇ ଆସୁଥିଲେ । ମାତ୍ର ଏଥିପାଇଁ ସେ କୌଣସି ପାରିଶ୍ରମିକ ମଧ୍ୟ ନେଉନଥିଲେ । ଯେଉଁଥି ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.