ହେଲିକପ୍ଟର ଦୁର୍ଘଟଣା: ବାୟୁସେନାର ସମସ୍ତ ୪ ଯବାନଙ୍କ ମିଳିଲା ପରିଚୟ, ଆଜି ଦିଆଯିବ ଅନ୍ତିମ ବିଦାୟ

ନୂଆଦିଲ୍ଲୀ, ଡିସେମ୍ବର ୧୧ : ତାମିଲନାଡୁରେ ଗତ ୮ ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ଜୀବନ ହରାଇଥିବା ବାୟୁସେନାର ୪ ଜଣ ଯବାନଙ୍କ ପରିଚୟ ମିଳିଛି। ଭାରତୀୟ ବାୟୁସେନା ଅନୁସାରେ ୱିଙ୍ଗ କମାଣ୍ଡର ପିଏସ୍‌ ଚୌହାନ, ହାବିଲଦାର ପ୍ରଦୀପ ଏ, ଲାନ୍ସ ନାୟକ ବି ସାଈ ତେଜା ଓ ଲାନ୍ସ ନାୟକ ବିବେକ କୁମାରଙ୍କ ପାର୍ଥିବ ଶରୀରକୁ ଚିହ୍ନଟ କରାଯାଇଛି। କୁହାଯାଉଛି ଯେ, ଶନିବାର ଏମାନଙ୍କର ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।  ସୂଚନାଯୋଗ୍ୟ, ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାଓତ ଓ ତାଙ୍କର ପତ୍ନୀ ସମେତ ମୋଟ ୧୩ଜଣଙ୍କର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ ସିଡିଏସ ରାଓତ, ତାଙ୍କର ପତ୍ନୀ ଓ ବ୍ରିଗେଡିୟର ଲିଡରଙ୍କ ପାର୍ଥିବ ଶରୀର ଚିହ୍ନଟ ହୋଇଛି। ଶୁକ୍ରବାର ଦିଲ୍ଲୀ କ୍ୟାଣ୍ଟର ବରାର ଛକରେ ସୈନ୍ୟ ସାମଗ୍ରୀ ସମେତ ଅନ୍ତିମ ସଂସ୍କାର କରାଯାଇଛି।  ଭାରତୀୟ ବାୟୁସେନା ଅନୁସାରେ, ୪ ଯବାନଙ୍କ ପାର୍ଥିବ ଶରୀର ଆକାଶମାର୍ଗରେ ଅଣାଯିବ ଏବଂ ସୈନ୍ୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯିବ। ଏହା ପୂର୍ବରୁ ଦିଲ୍ଲୀ କ୍ୟାଣ୍ଟର ବେସ ହସ୍ପିଟାଲରେ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଏହା ପରେ ପରିବାର ଲୋକଙ୍କୁ ପାର୍ଥିବ ଶରୀର ହସ୍ତାନ୍ତର କରାଯିବ। ତେବେ ଏହି ଦୁର୍ଘଟଣାରେ ଜୀବନ ହରାଇଥିବା ଅନ୍ୟ ବ୍ୟକ୍ତିଙ୍କର ପାର୍ଥିବ ଶରୀର ଚିହ୍ନଟ କରାଯାଉଛି। 

Leave A Reply

Your email address will not be published.