କାୟା ବିସ୍ତାର କରୁଛି ଓମିକ୍ରନ୍‌

ନୂଆଦିଲ୍ଲୀ, ଡିସେମ୍ବର ୧୬ : କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଗୋଟିଏ ପରେ ଗୋଟିଏ ରାଜ୍ୟକୁ କାୟା ବିସ୍ତାର କରୁଛି। ମହାରାଷ୍ଟ୍ର ଓ କେରଳରେ ବୁଧବାର ୪ ଜଣ ଲେଖାଏଁ ଓମିକ୍ରନ୍‌ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାମିଲନାଡୁରେ ମଧ୍ୟ ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଦେଶରେ ଓମିକ୍ରନ୍‌ ପଜିଟିଭ୍‌ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଏରୋଲୋଜିର ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ୪ ଜଣଙ୍କ ମଧ୍ୟରୁ ୨ ଜଣ ଉସ୍‌ମାନାବାଦ, ଜଣେ ମୁମ୍ବାଇ ଓ ଅନ୍ୟ ଜଣେ ବୁଲଢ଼ାଣାରୁ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ କରୋନା ଟିକା ନେଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଅନ୍ୟ ୩ ଜଣ ପୁରୁଷଙ୍କ ବୟସ ୧୬ରୁ ୬୭ ବର୍ଷ ହେବ। ସମସ୍ତଙ୍କ ଠାରେ ରୋଗ ବିହୀନ ଲକ୍ଷଣ ରହିଛି। ରାଜ୍ୟରେ ବୁଧବାର ୯୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଓମିକ୍ରନ୍‌ ଦେଶର ୧୧ଟି ରାଜ୍ୟକୁ ପ୍ରବେଶ କରିଛି। ଏଥିରୁ ସର୍ବାଧିକ ମହାରାଷ୍ଟ୍ରରେ ୩୨ ଜଣ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନରେ ୧୭, ଦିଲ୍ଲୀରେ ୬, କେରଳରେ ୫, ଗୁଜରାଟରେ ୪, କର୍ଣ୍ଣାଟକରେ ୩, ତେଲେଙ୍ଗାନାରେ ୨ , ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଜଣେ ଲେଖାଏଁ ଓମିକ୍ରନ୍‌ ଦ୍ବାରା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ୍‌କୁ ନେଇ ସମଗ୍ର ବିଶ୍ବବାସୀଙ୍କର ଚିନ୍ତା ବଢ଼ିଛି। 

Leave A Reply

Your email address will not be published.