୧୦ ରାଜ୍ୟରେ ବଢ଼ିବ ଶୀତ

ନୂଆଦିଲ୍ଲୀ, ଡିସେମ୍ବର ୧୬ : ପ୍ରବଳ ଶୀତର ସମ୍ମୁଖୀନ ହୋଇଥିବା ରାଜ୍ୟ ଗୁଡ଼ିକ ପାଇଁ ଆହୁରି ଅଡୁଆ ବଢ଼ିପାରେ। କାରଣ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କିଛି ରାଜ୍ୟରେ ସାମାନ୍ୟ ବର୍ଷା ଓ ଶୀତଲହର ନେଇ ଚେତାବନୀ ଜାରି କରିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୧୬ ଡିସେମ୍ବରରେ କିଛି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ ପାଣିପାଗ ବିଭାଗ କିଛି ରାଜ୍ୟରେ କୁହୁଡ଼ି ହେବ ବୋଲି ଚେତାବନୀ ଦେଇଛି।  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଂଜା‌ବରେ ଡିସେମ୍ବର ୨୦ ଯାଏଁ ଏବଂ ହରିୟାଣା, ଚଣ୍ଡୀଗଡ଼ ଏବଂ ଉତ୍ତର ରାଜସ୍ଥାନରେ ଡିସେମ୍ବର ୧୮ରୁ ୨୦ ଯାଏଁ ଶୀତ ବଢ଼ିବ। ଏଥି ସହିତ ଡିସେମ୍ବର ୧୬ ଓ ୧୭ରେ ସକାଳ ସମୟରେ ପଂଜାବ, ଆସାମ, ମେଘାଳୟ, ମଣିପୁର, ନାଗାଲାଣ୍ଡ ଓ ମିଜୋରାମର ଭିନ୍ନ ଭିନ୍ନ ସ୍ଥାନରେ କୁହୁଡ଼ି ଅନୁଭୂତ ହେବ।  ଅପରପେକ୍ଷ ଆଗାମୀ ୩ ଦିନ ମଧ୍ୟରେ ପଶ୍ଚିମ ହିମାଳୟ କ୍ଷେତ୍ରରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗର ଅନୁସାରେ ଜମ୍ମୁ କଶ୍ମୀର, ଲଦ୍ଦାଖ ଓ ହିମାଚଳ ପ୍ରଦେଶରେ ଆଗାମୀ ୩ ଦିନ ଯାଏଁ ବର୍ଷା ଓ ତୁଷାରପାତ ଅନୁଭୂତ ହୋଇପାରେ। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ବୁଧବାର ପାରା ୭.୮ ଡିଗ୍ରୀକୁ ଖସିଛି। ଦିଲ୍ଲୀରେ ବୁଧବାର ୨୨.୫ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ଥିଲା। ଓଡ଼ିଶାର ଅଧିକାଂଶ ଜିଲ୍ଳାରେ ଶୀତ ଅନୁଭୂତ ହୋଇଛି।  

Leave A Reply

Your email address will not be published.