ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ରାଜ୍ୟରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରା ରାଜ୍ୟ ପାଇଁ ବଢିଛି ସଂକ୍ରମଣର ଭୟ । ଯାହାକୁ ଦୃଷ୍ଟିରେ ରଖି ଆଜି ପୁଣି ଥରେ ରାଜଧାନୀ ଭୁବନେଶ୍ୱରକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ରାଜଧାନୀ ଭୁବନେଶ୍ୱରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି ବିଏମସି । ବମିଖାଲ ଜୟଦୂର୍ଗାନଗରରେ ଦୁଇଟି ପ୍ଲଟ୍‌ରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଏହା ସହିତ ଭିଏସ୍‌ଏସ୍ ନଗରର ୱାର୍ଡ ନଂ ୧୧ରେ ମଧ୍ୟ କିଛି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପୁରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି ବିଏମସି ।ଦୁଇଟି ଅଞ୍ଚଳରେ ବାହାରର ଲୋକଙ୍କ ପ୍ରବେଶ ଓ ଭିତର ଲୋକ ବାହାରକୁ ଯିବା ଉପରେ କଡା କଟକଣା ଲଗାଯାଇଥିବା ବେଳେ ଅତ୍ୟାବଶକ ସାମଗ୍ରୀ ପାଇଁ ହେଲପଲାଇନ୍ ନମ୍ବର ଜାରି କରାଯାଇଛି ।ପୁରା ଦେଶରେ ଓମିକ୍ରନ୍ ଆତଙ୍କ ଦେଖାଦେଇଥିବା ବେଳେ ଓଡ଼ିଶାକୁ ମଧ୍ୟ ପ୍ରବେଶ କରିସାରିଛି କରୋନା ମହାମାରୀର ଏହି ଘାତକ ଭ୍ୟାରିଆଣ୍ଟ । ରାଜ୍ୟରେ ରାଜଧାନୀ ଭୁବନେଶ୍ୱର ପାଇଁ ସର୍ବାଧିକ ସଂକ୍ରମଣର ଭୟ ରହିଥିବା ବେଳେ ଏଭଳି କଣ୍ଟେନମେଣ୍ଟ କଟକଣା ଫେରିବା ପୁଣି ଥରେ ରାଜଧାନୀ ବାସୀଙ୍କ ମନରେ ଛନକା ସୃଷ୍ଟି କରିଛି ।

Leave A Reply

Your email address will not be published.