ଜାପାନ ପାଇଁ ଚେତାବନୀ

ଟୋକିଓ, ଡିସେମ୍ବର ୨୩ : ଜାପାନକୁ ନେଇ ଏଠାକାର ବୈଜ୍ଞାନିକ ମାନେ ବଡ଼ଧରଣର ଚେତାବନୀ ଦେଇଛନ୍ତି।ଏଥିରେ କୁହାଯାଇଛି ଯେ, ଯଦି ଭୂକମ୍ପ ରିକ୍ଟର ସ୍କେଲରେ ୯ ରହେ, ତା’ହେଲେ ଉତ୍ତର ଜାପାନରେ ବଡ଼ଧରଣର କ୍ଷୟକ୍ଷତି ହୋଇପାରେ। ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଲେ ୧ ଲକ୍ଷ ୯୯ ହଜାର ଲୋକଙ୍କର ମୃତ୍ୟୁ ହୋଇପାରେ। କାରଣ ଭୂକମ୍ପ ସହିତ ସୁନାମୀ ମଧ୍ୟ ଆସିପାରେ। ଏହି ଚେତାବନୀ ଜାପାନ ସରକାରଙ୍କ କେନ୍ଦ୍ରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପରିଷଦ ପକ୍ଷରୁ ଦିଆଯାଇଛି।  ଜାପାନର କେନ୍ଦ୍ରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପରିଷଦ ସରକାରଙ୍କ ଠାରେ ଅପିଲ କରିଛି ଯେ, ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ ନୂଆ ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ଏହା ଦ୍ବାରା ମୃତ୍ୟୁ ହାର ୮୦ ପ୍ରତିଶତ ହ୍ରାସ କରାଯାଇ ପାରିବ। ଭୂକମ୍ପ ଓ ସୁନାମୀ ପୂର୍ବରୁ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇପାରିବ। ଏତଦ ବ୍ୟତୀତ ସୁନାମୀ ଆସିବା ପରେ ଜନସାଧାରଣଙ୍କୁ ଉଦ୍ଧାର କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇପାରିବ।  ପ୍ରଶାନ୍ତ ମହାସାଗର କୂଳରେ ବସିଥିବା ହୋକାଇଡୋ, ଆମୋମୋରୀ, ଇୱାତେ, ମିୟାଗୀ, ଆକିତା, ୟାମାଗାତା, ଫୁକୁଶିମା, ଇବାରାକୀ ଓ ଶିବାକୁ ଅଧିକ ବିପଦ ହୋଇପାରେ। ବୈଜ୍ଞାନିକଙ୍କ ଆକଳନ ଅନୁସାରେ ସୁନାମୀରେ ୨ ଲକ୍ଷ ୨୦ ହଜାର ଘର ଭାଙ୍ଗିପାରେ। ସେହିପରି ୨୦ ଲକ୍ଷ ୬୭ ହଜାର କୋଟି ଟଙ୍କାର ସଂପତ୍ତି କ୍ଷତି ହୋଇପାରେ। 

Leave A Reply

Your email address will not be published.