ପାକିସ୍ତାନ: କେକ୍‌ ଉପରେ କ୍ରିସମାସ୍‌ ଲେଖିବାକୁ ମନା କଲେ ବେକରୀ କର୍ମଚାରୀ, ସୋସିଆଲ ମିଡିଆରେ ଚର୍ଚ୍ଚା

କରାଚୀ, ଡିସେମ୍ବର ୨୩ : ଦିନକ ପରେ ବଡ଼ଦିନ। ଏହି ପର୍ବକୁ ନେଇ ସମଗ୍ର ବିଶ୍ବରେ ଖ୍ରୀଷ୍ଟ ଧର୍ମାବଳମ୍ବୀ ଭାଇ-ଭଉଣୀମାନେ ଉତ୍ସାହିତ ଅଛନ୍ତି। ଏହାରି ମଧ୍ୟରେ ପାକିସ୍ତାନରେ କ୍ରିସମାସ ପୂର୍ବରୁ ଏକ ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ପାକିସ୍ତାନର ପ୍ରସିଦ୍ଧ ବେକରୀ ଚେନ୍‌ର ଜଣେ କର୍ମଚାରୀ କେକ୍‌ ଉପରେ ’ମେରୀ କ୍ରିସ୍‌ମସ୍‌’ ଲେଖିବାକୁ ମନା କରିଦେଇଥିଲେ। ଏହା ପରେ ସୋସିଆଲ ମିଡିଆରେ ବେକରୀ କର୍ମଚାରୀଙ୍କ ବ୍ୟବହାର ଉପରେ ଚର୍ଚ୍ଚା ହେଲା, ବେକରୀ ପରିଚାଳନା ପୂରା ଘଟଣାର ତଦନ୍ତ ପାଇଁ ଘୋଷଣା କରିଛି। ଏହି ବେକରୀ ଚେନ ଏଥି ସହିତ ସ୍ପଷ୍ଟ କରିଛି ଯେ, ସେମାନେ ଧର୍ମକୁ ନେଇ ଭେଦଭାବ କରନ୍ତି ନାହିଁ।  ଡେଲିଜିଓ ବେକରୀର ପରିଚାଳନା ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ସେ ସେଲେସିୟା ନସୀମ ଖାନ ନାମକ ମହିଳା ଗ୍ରାହକଙ୍କ ଦ୍ବାରା ଫେସବୁକ ପୋଷ୍ଟରେ ଅଣାଯାଇଥିବା ଅଭିଯୋଗର ତଦନ୍ତ କରୁଛନ୍ତି। ମହିଳା ଜଣକ ଅଭିଯୋଗ ଆଣିଥିଲେ ଯେ, ସେ କରାଚୀର ଡିଫେନ୍ସ ହାଉସିଂ ସୋସାଇଟିର ଦୋକାନକୁ କେକ ଆଣିବାକୁ ଯାଇଥିଲେ। କିନ୍ତୁ ସେଠାରେ କର୍ମଚାରୀ କେକ୍‌ ଉପରେ ‘ମେରି କ୍ରିସମସ୍‌’ ଲେଖିବାକୁ ମନା କରିଥିଲେ।

Leave A Reply

Your email address will not be published.