ପାଟଣାରେ ପୁଣି ୭୨ ଜଣ ଡାକ୍ତର କରୋନା ପଜିଟିଭ୍‌

ପାଟଣା, ଜାନୁଆରୀ ୦୪ : ବିହାରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଟଣାସ୍ଥିତ ନାଳନ୍ଦା ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ (ଏନ୍‌ଏମ୍‌ସିଏଚ୍‌)ରେ ଲଗାତାର ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ସୋମବାର ୧୩୩ ଜଣ ଡାକ୍ତର ଓ ମେଡିକାଲ ଛାତ୍ରଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୭୨ ଜଣଙ୍କର ନମୁନା ପଜିଟିଭ ଚିହ୍ନଟ ହୋଇଛି। ଏନ୍‌ଏମ୍‌ସିଏଚ୍‌ର ଅଧ୍ୟକ୍ଷ ଡା. ବିନୋଦ କୁମାର ସିଂହ ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ରବିବାର ଏନଏମସିଏଚ୍‌ରେ ୮୪ ଜଣ ଡାକ୍ତର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ହସ୍ପିଟାଲରେ ୧୯୪ ଜଣ ଡାକ୍ତରଙ୍କ ଆରଟି-ପିସିଆର ଯାଞ୍ଚ କରାଯାଇଥିଲା। ଏଥିରୁ ୮୪ ଜଣ ଡାକ୍ତର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକକାଳୀନ ଏତେ ସଂଖ୍ୟାରେ ଡାକ୍ତର କରୋନା ପଜିଟିଭ ହେଇଥିବା ନେଇ ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ପଶିଛି। ସେହିପରି ସ୍ବାସ୍ଥ୍ୟ ସେବାରେ ପ୍ରଭାବ ପଡ଼ିବାର ଆଶଙ୍କା ଦେଖାଯାଉଛି।  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ହମ୍‌ (ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା)ର ପ୍ରମୁଖ ଜୀତନରାମ ମାଝୀ କରୋନା ଭାଇରସ ସଂସ୍ପର୍ଶରେ ଆସିଛନ୍ତି। ବିହାରରେ ଏପର୍ଯ୍ୟନ୍ତ ୭ ଲକ୍ଷ ୨୬ ହଜାର ୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି କରୋନା ନେଇ ସମୀକ୍ଷା ବୈଠକ କରିବେ। ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ। 

Leave A Reply

Your email address will not be published.