କନ୍ଧମାଳ ବାସୀଙ୍କ ସ୍ୱାର୍ଥ ପାଇଁ ପୁଣି ଆରମ୍ଭ ହେବ ଲଢେଇ

କନ୍ଧମାଳ : ପୁଣି ରାଜ ରାସ୍ତାରେ କନ୍ଧମାଳ ପିପୁଲସ ଫୋରମ । କନ୍ଧମାଳ ବାସୀଙ୍କ ସ୍ୱାର୍ଥ ପାଇଁ ପୁଣି ଆରମ୍ଭ ହେବ ଲଢେଇ । ଏଥର ଲଢେଇ ହେବ ମୋବାଇଲ ଟାୱାର ପାଇଁ । ସ୍ୱାଧିନତାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର ଅନେକ ଲୋକଙ୍କ ପାଇଁ ମୋବାଇଲ୍ ସେବା ସାତ ସପନ । ଗୋଟେ ପଟେ ଦେଶରେ ୫ଜି ସେବାର ସଫଳ ପରିକ୍ଷଣ ଚାଲିଥିବା ବେଳେ ଆଉ ଗୋଟେ ପଟେ ରାଜ୍ୟର କନ୍ଧମାଳ ଜିଲ୍ଲାରେ ଅନେକ ସ୍ଥାନରେ ଲୋକେ ମୋବାଇଲ କଣ ଜାଣି ନାହାଁନ୍ତି । ସମଗ୍ର ଜିଲ୍ଲାର କାଁ ଭାଁ କେତକ ସ୍ଥାନକୁ ଛାଡି ଦେଲେ ବାକି ସବୁ ସ୍ଥାନରେ ମୋବାଇଲ ନେଟୱର୍କର ନାମ ଗନ୍ଧ ନାହିଁ । ଦେଶ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ମାଡି ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଲୋକ ମାନେ ମୋବାଇଲ ସେବାରୁ ବଞ୍ଚିତ ହେବା ଦୁଖର ବିଷୟ । ହେଲେ ଏହି ଦୁଖକୁ ଲାଘବ କରିବା ପାଇଁ ପୁଣି ଆଗକୁ ଆସିଛି କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସେବା ସଂଗଠନ ପିପୁଲସ୍ ଫୋରମ । ପୁର୍ବରୁ କନ୍ଧମାଳରେ ମେଡିକାଲ, କନ୍ଧମାଳକୁ ରେଳ , ଗରିବ ଅସହାୟ ମାନଙ୍କୁ ସାହାର୍ଯ୍ୟ କରିବା ପରି ଅନେକ ଜନହିତକର କାମ କରି ସଦା ସର୍ବଦା ଚର୍ଚ୍ଚାରେ ରହି ଆସିଛି କନ୍ଧମାଳର ପିପୁଲସ ଫୋରମ । ପୁଣି ଥରେ ସେହି କନ୍ଧମାଳ ବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଲଢେଇର ଆହ୍ୱାନ ଦେଇଛନ୍ତି କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧା ମୋହନ ମହାପାତ୍ର । ଏନେଇ ଆଜି ପ୍ରଥମ ପର୍ଯ୍ୟୟରେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଆଡାସିପଡାରେ ମୋବାଇଲ ଟାୱାର ପ୍ରତିଷ୍ଠା ଏବଂ ମେଡିକାଲ ପ୍ରତିଷ୍ଠା ୨ଦଫା ଦାବୀ ନେଇ ସମଗ୍ର ପଞ୍ଚାୟତର ଜନସାଧାରଣଙ୍କ ସହିତ ପିପୁଲସ ଫୋରମର ସଭାପତି ରାଧାମୋହନଙ୍କ ସମେତ ସମସ୍ତ ସଦସ୍ୟ ମିଶି କନ୍ଧମାଳ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଯଥା ଶିଘ୍ର ଦୁଇ ଦଫା ଦାବୀ ପୁରଣ କରିବା ପାଇଁ ଅଂଚଳବାସୀ ମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଯଦି ଆଗାମୀ ଦିନରେ ଏହି ଦାବୀ ପୁରଣ ନହୁଏ ତେବେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି କହିଛନ୍ତି କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧାମୋହନ ମହାପାତ୍ର ।

Leave A Reply

Your email address will not be published.