ସଂକ୍ରମଣ ସଂସ୍ପର୍ଶରେ ଡାକ୍ତରଙ୍କ ସମେତ ୧୦୦୦ରୁ ଊର୍ଦ୍ଧ୍ବ ସ୍ବାସ୍ଥ୍ୟ କର୍ମୀ

ନୂଆଦିଲ୍ଲୀ, ଜାନୁଆରୀ ୦୭ : ଭାରତରେ କରୋନା ସଂକ୍ରମଣ ରେକର୍ଡ ଅତିକ୍ରମ କରିସାରିଛି। ବୁଧବାର ତୁଳନାରେ ଗୁରୁବାର ୫୬.୫ ପ୍ରତିଶତ ଅଧିକ ରହିଛି। ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୫୧ ଲକ୍ଷ ୯ ହଜାର ୨୮୬ ଜଣ ସଂକ୍ରମିତ ହୋଇସାରିଛନ୍ତି। ଏଥିରୁ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୩୬ ହଜାର ୨୬୫ ସଂକ୍ରମିତ ଅଛନ୍ତି। ପଶ୍ଚିମବଙ୍ଗରେ ୧୫,୪୨୧, ଦିଲ୍ଲୀରେ ୧୫,୦୯୭, ତାମିଲନାଡୁରେ ୬୯୮୩, କେରଳରେ ୪୬୪୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ସଂକ୍ରମଣର ୬୬.୯୭ ପ୍ରତିଶତ କେବଳ ଏହି ୫ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି।  ସବୁଠାରୁ ଚିନ୍ତାର ବିଷୟ ହେଲା ଯେ, କରୋନା ସଂସ୍ପର୍ଶରେ ସ୍ବାସ୍ଥ୍ୟ କର୍ମୀମାନେ ମଧ୍ୟ ଆସିଛନ୍ତି। ଦେଶବ୍ୟାପୀ ଏପର୍ଯ୍ୟନ୍ତ ଡାକ୍ତରଙ୍କ ସମେତ ୧୦୦୦ରୁ ଊର୍ଦ୍ଧ୍ବ ସ୍ବାସ୍ଥ୍ୟ କର୍ମୀ କରୋନା ସଂକ୍ରମିତ ହୋଇସାରିଛନ୍ତି। ବିହାରରେ ୩୦୦ରୁ ଅଧିକ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍‌ପିଟାଲ ଏବଂ ଗୟାରେ ଏଏନ୍‌ଏମ୍‌ସିଏଚ୍‌ରେ କରୋନା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଚିନ୍ତା ବଢ଼ାଇଛି। ଝାଡ଼ଖଣ୍ଡରେ ମଧ୍ୟ ୧୭୯ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ କରୋନା  ରିପୋର୍ଟ ପଜିଟିଭ ଆସିଛି। ତୃତୀୟ ଲହରରେ ଦିଲ୍ଲୀର ସରକାରୀ ହସ୍ପିଟାଲ ଗୁଡ଼ିକରେ ୧୦୦ରୁ ଊର୍ଦ୍ଧ୍ବ ସ୍ବାସ୍ଥ୍ୟ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୁମ୍ବାଇରେ  ୩ ଦିନ ଭିତରେ ୨୩୦ ଜଣ ଡାକ୍ତର କରୋନା ସଂସ୍ପର୍ଶରେ ଆସିଛନ୍ତି। ଚଣ୍ଡୀଗଡ଼ସ୍ଥିତ ପିଜିଆଇରେ ୧୪୬ ଓ ପଶ୍ଚିମବଙ୍ଗର ବିଭିନ୍ନ ହସ୍ପିଟାଲରେ ୪୦୦ରୁ ଅଧିକ ଡାକ୍ତର ଏବଂ ଅନ୍ୟ ଚିକିତ୍ସକ କରୋନା ପଜିଟିଭ ଚିହ୍ନଟ ହୋଇସାରିଚନ୍ତି।  ଉତ୍ତରପ୍ରଦେଶରେ ୭୫, ରାୟପୁର ଏମ୍ସରେ ୩୩, ବିଲାସପୁରରେ ୧୦୫ ଜଣ ଡାକ୍ତର ଓ ମେଡିକାଲ କର୍ମଚାରୀ, ରାଜସ୍ଥାନରେ ୪୮ ଜଣ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏତଦ୍‌ ବ୍ୟତୀତ ଓଡ଼ିଶାର ଭୀମସାର୍‌ରେ ମଧ୍ୟ ବିଗତ ଦିନରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଥିଲା। 

Leave A Reply

Your email address will not be published.