ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟରେ ମୟଙ୍କ ଅଗ୍ରୱାଲଙ୍କ ଖରାପ ଫିଲ୍ଡିଂକୁ ସହ୍ୟ କରିପାରିଲେନି କ୍ୟାପ୍‌ଟେନ୍‌ କୋହଲି

କେପ୍‌ଟାଉନ୍‌, ଜାନୁଆରୀ ୧୩ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତ ୧୧ ତାରିଖ ଠାରୁ ଟେଷ୍ଟ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯାଉଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଜଣେ ଆକ୍ରମଣାତ୍ମକ ଅଧିନାୟକ ଅଟନ୍ତି। କୋହଲି ଖେଳ ପଡ଼ିଆରେ ନିଜର ଭାବନାକୁ ଲୁଚାଇ ରଖିବାକୁ ପସନ୍ଦ କରି ନଥାନ୍ତି। ସେ ବିଶ୍ବର ସବୁଠାରୁ ଫିଟ୍‌ ଖେଳାଳିଙ୍କ ମଧ୍ୟରୁ ଜଣେ। ଯେତ‌େ‌ବେଳେ କୌଣସି ଖେଳାଳି ଖରାପ ଫିଲ୍ଡିଂ କରନ୍ତି, ସେହି ସମୟରେ କୋହଳି ଅମଙ୍ଗ ଦେଖାଯାଆନ୍ତି। କେପ୍‌ଟାଉନ୍‌ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦକ୍ଷିଣ ଆଫ୍ରିକା ବିରୋଧରେ ଦ୍ବିତୀୟ ପାଳିରେ ଜସପ୍ରୀତ ବୁମରାଙ୍କ ବଲ୍‌କୁ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍‌ କିଗନ ପିଟରସନ୍‌ ବ୍ୟାକ୍‌ଫୁଟରେ ଖେଳିଥିଲେ। ବଲ ବାଉଣ୍ଡ୍ରୀ ଆଡ଼କୁ ଚାଲିଯାଇଥିଲା। ଭାରତୀୟ ଓପନର ଓ ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ ଦୌଡ଼ି କରି ବଲ୍‌ ନିକଟକୁ ପହଞ୍ଚି ଥିଲେ। ଅଗ୍ରୱାଲ୍‌ ସ୍ଲାଇଡ କରି ବଲ୍‌କୁ ଅଟକାଇଥିଲେ। କିନ୍ତୁ ମୟଙ୍କ ଠିକ୍‌ ସମୟ ମଧ୍ୟରେ ବଲ୍‌କୁ ଫିଙ୍ଗି ପାରି ନଥିଲେ। ବଲ ହାତରେ ଥିଲା ଓ ତାଙ୍କର ଗୋଟିଏ ପାଦ ବାଉଣ୍ଡୀରେ ଲାଗିଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଚୌକା ମିଳିଯାଇଥିଲା।ମୟଙ୍କ ଅଗ୍ରୱାଲଙ୍କ ଦ୍ବାରା ଭଲ ଫିଲ୍ଡିଂ ହୋଇ ନଥିବାରୁ କମେଣ୍ଟ୍ରି କରୁଥିବା ସୁନୀଲ ଗାଭାସ୍କର ଖୁସି ଦେଖାଯାଇ ନଥିଲେ। ଏହା ପରେ ବିରାଟ କୋହଲି ମଧ୍ୟ ମୁହଁ ଶୁଖାଇ ଦେଇଥିଲେ। କୋହଲି ୨ ହାତ ଉପରକୁ ଉଠାଇ କିଛି କହୁଥିଲେ। ଗାଭାସ୍କର କହିଥିଲେ ଯେ, ମୟଙ୍କ ପାଖରେ ବଲ ଫିଙ୍ଗିବା ପାଇଁ ସମୟ ମଧ୍ୟ ଥିଲା। ମୟଙ୍କ ଅଗ୍ରୱାଲଙ୍କ ପ୍ରତି କୋହଲି ଅମଙ୍ଗ ଦେଖାଯାଉଥିଲେ। ସୂଚନାଯୋଗ୍ୟ ମୟଙ୍କ ଅଗ୍ରୱାଲ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିଲେ। ସେ ଭାରତ ପାଇଁ ୧୭ଟି ମ୍ୟାଚ ଖେଳି ୧୩୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୪ଟି ଶତକ ସାମିଲ ରହିଛି। କେପ୍‌ଟାଉନ୍‌ର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨ଟି ୱିକେଟ୍‌ ହରାଇ ୭୦ ରନ୍‌ର ଅଗ୍ରଣୀ ରହିଛି। ଭାରତ ପ୍ରଥମ ପାଳିରେ ୨୨୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଏବଂ ୨ୟ ପାଳିରେ ୨ଟି ୱିକେଟ ହରାଇ ୫୭ ରନ୍‌ ସଂଗ୍ରହ କରିଛି। ଅପରପକ୍ଷେ ଘରୋଇ ଦଳ ପ୍ରଥମ ପାଳିରେ ୨୧୦ ରନ୍‌ରେ ନିଜର ସମସ୍ତ ୱିକେଟ୍‌ ହରାଇଥିଲା। 

Leave A Reply

Your email address will not be published.