ମେଳା ଓ ମହୋତ୍ସବ ପାଳନ ଉପରେ କଟକଣା

ଗଞ୍ଜାମ, ଜାନୁଆରୀ ୧୩ : ଓଡ଼ିଶା ବଢିଚାଲିଥିବା କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ରାଜ୍ୟ ସରଲକାରଙ୍କ ପକ୍ଷରୁ କଟକଣାକୁ କଡାକଡି କରାଯାଇଛି । ଏ ନେଇ ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ସି)ଙ୍କ ଜାରି ବିଜ୍ଞପ୍ତି ମୁତାବକ ସ୍ଥାନୀୟ ମେଳା ଓ ମହୋତ୍ସବ ପାଳନ ଉପରେ ସରକାର କଟକଣା ଜାରି କରିଛନ୍ତି। ଏସ୍‌ଆରସି ବୁଧବାର ସମସ୍ତ ଜିଲ୍ଲାପାଳ , ଏସ୍‌ପି , ମହାନଗର ନିଗମ କମିଶନର , ପୋଲିସ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି ।  ଏଥିରେ ନଦୀଘାଟ ପୁଷ୍କରିଣୀ ଏବଂ ସମୁଦ୍ରରେ ବୁଡ଼ ପକାଇବା ଏବଂ ସମାଗମକୁ ବାରଣ କରାଯାଇଛି । ସେହିପରି ମେଳା ଆୟୋଜନ ଓ ପାଳନ ହୋଇପାରିବ ନାହିଁ । ଧାର୍ମିକ ସମାବେଶକୁ ମଧ୍ୟ ମନା କରାଯାଇଛି । ପରମ୍ପରା ରକ୍ଷା ପାଇଁ ଧାର୍ମିକ ସ୍ଥଳରେ କମ୍ ସଂଖ୍ୟକ ସେବାୟତ ଓ କର୍ମଚାରୀଙ୍କୁ ଅନୁମତି ଦିଆଯାଇଛି । ନିଜ ଘରେ ପରିବାର ସଦସ୍ୟଙ୍କ ସହ କୋଭିଡ୍ ନିୟମ ମାନି ପୂଜା କରିବାକୁ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ସ୍ଥିତିକୁ ବିଚାର କରି ଆବଶ୍ୟକସ୍ଥଳେ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ଉପଯୁକ୍ତ କଟକଣା ଜାରି କରାଯିବ । ପର୍ବପର୍ବାଣି ଓ ପୂଜାରେ କେତେ ସଂଖ୍ୟକ ଲୋକ ଯୋଗଦେବେ ତାହା ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ସ୍ଥିର କରିବେ । ନିୟମର ଉଲଂଘନ କରାଗଲେ ସ୍ଥାନୀୟ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.