ଜୋର ଜବରଦସ୍ତ ପ୍ରାର୍ଥୀପତ୍ର ଦାଖଲ କରାଇ ଦେଲେନି, ବିଡିଓଙ୍କ ନିକଟରେ ଫେରାଦ ହେଲେ ମହିଳା ସରପଞ୍ଚ ଆଶାୟୀ

ବଡବିଲ ୨୨।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସ ଧାର୍ଯ୍ୟ କରାଯାଇଥିବା ବେଳେ ଅନେକ ଆଶାୟୀ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ଜୋର ଜବରଦସ୍ତ ଜଣେ ମହିଳା ସରପଞ୍ଚ ଆଶାୟୀଙ୍କୁ ପ୍ରାର୍ଥୀପତ୍ର ଦାଖଲ କରାଇନଦେବା ନେଇ ଅଭିଯୋଗ ହୋଇଛି । ଯୋଡ଼ା ବ୍ଲକ୍ ବଡକାଳୀମାଟି ପଞ୍ଚାୟତରୁ ଏଭଳି ଅପ୍ରୀତିକର ଖବର ଆସିଛି । ଏନେଇ ମହିଳା ଆଶାୟୀ ପ୍ରାର୍ଥୀ ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ ଯୋଡା ବିଡିଓ ଜଗନ୍ନାଥ ହନୁମାନଙ୍କ ନିକଟରେ ଫେରାଦ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଦୁବୁନା ପୁରୁଣାଡିହିର ଗୌରୀ ନାଏକ ନାମକ ଏହି ମହିଳା ଶୁକ୍ରବାର ସରପଞ୍ଚ ପଦ ନିମନ୍ତେ ବଡକାଳିମାଟି ପଞ୍ଚାୟତ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିଲେ । ସେହି ସମୟରେ ବଡକାଳିମାଟି ଅଞ୍ଚଳର ବଳଭଦ୍ର ପାତ୍ର, ଜଗନ୍ନାଥ ପାତ୍ର, ସନାତନ ବାରିକ, ପରମେଶ୍ବର ନାଏକ ଏବଂ ତାଙ୍କର ଅନ୍ୟ କେତେ ଜଣ ସହଯୋଗୀ ବିଭିନ୍ନ ମାରଣାସ୍ତ୍ର ଦେଖାଇ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଦେଇନଥିଲେ ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗରେ କୁହାଯାଇଛି । ଏଥିସହ ସେମାନଙ୍କ ହାତରୁ ପ୍ରାର୍ଥୀପତ୍ର ଛଡାଇ ନେଇଥିବା ଲିଖିତ ଅଭିଯୋଗ ହୋଇଛି । ଦିନ ୪ଟା ପର୍ଯ୍ୟନ୍ତ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଛଡ଼ାଯାଇନଥିଲା । ଯାହା ଫଳରେ ସେ ନାମାଙ୍କନ ପତ୍ର ଦାଖଲ କରିବାରୁ ବଞ୍ଚିତ ହୋଇଛନ୍ତି ବୋଲି ବିଡ଼ିଓଙ୍କ ନିକଟରେ ଫେରାଦ ହେବା ସହ ତାଙ୍କୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ସୁଯୋଗ ଦେବାକୁ ଗୁହାରୀ କରିଛନ୍ତି । ତେବେ ଏନେଇ ଯୋଡ଼ା ବିଡିଓ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

Leave A Reply

Your email address will not be published.